ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ) : ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ସ୍ବାଭିମାନ ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଶାର ରସଗୋଲା ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। ରସଗୋଲାର ପ୍ରତ୍ୟେକଟି ବିନ୍ଦୁ ଓଡ଼ିଶାର ଇତିହାସ ସହିତ ସଂଶ୍ଳିଷ୍ଟ । ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି, ହେଲେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭିତରେ ବିବାଦ ଏଯାଏଁ ତୁଟିନି । ଗୋଟିଏ ଜିନିଷ ଉପରେ ଦୁଇଟି ରାଜ୍ୟକୁ ଜିଆଇ ଟ୍ୟାଗ ମିଳିବା କେତେ ଦୂର ଯଥାର୍ଥ ? ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ଅଛି । ଏହାର ଶେଷ ଶୁଣାଣି ଆଗାମୀ ଅଗଷ୍ଟ ୬ ତାରିଖରେ ହେବ । ରାଜ୍ୟ ସରକାର ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ହସ୍ତକ୍ଷେପ କରି ରସଗୋଲା ଓଡ଼ିଶାର ବୋଲି ଦାବି କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ରିଜିଓନାଲ ଡେଭେଲପମେଣ୍ଟ ଟ୍ରଷ୍ଟ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନଭଞ୍ଜନ କରିଥିବାରୁ ମହାପ୍ରଭୁଙ୍କ ଛପନଭୋଗ ଭିତରୁ ରସଗୋଲାକୁ ଶ୍ରେଷ୍ଠ ଭୋଗ ଭାବେ ବିବେଚନା କରାଯାଇଛି । ପୂରାଣରେ ମଧ୍ୟ ରସଗୋଲାର ବର୍ଣ୍ଣନା ରହିଛି। ସାରଳା ମହାଭାରତ, ଦାଣ୍ଡି ରାମାୟଣ ଓ ମାଦଳା ପାଞ୍ଜିରେ ଦୀର୍ଘ ୮ଶହ ବର୍ଷ ତଳୁ ରସଗୋଲା ଶ୍ରେଷ୍ଠତ୍ବ ଉଲ୍ଲେଖ କରାଯାଇଛି ।