ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ। ଜଗତର ନାଥ ଶ୍ରୀଜଗନ୍ନାଥ କଳି ଯୁଗରେ ଦାରୁବ୍ରହ୍ମ ରୂପରେ ମାନବୀୟ ଲୀଳା ରୂପକ ବରଷକେ ଥରେ ଗୁଣ୍ଡିଚା ଯାତରେ ଯାଆନ୍ତି। ଏହିଯାତ୍ରା କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ପତ୍ନୀ ଗୁଣ୍ଡିଚା ରାଣୀଙ୍କୁ କଥା ଦେଇଥିଲେ। ପ୍ରଭୁ ଭାଇ ଏବଂ ଭଉଣୀ ଙ୍କୁ ନେଇ ଘୋଷଯାତ୍ରାରେ ଗୁଣ୍ଡିଚା ଅଭିମୁଖେ ଯାଇ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହି ଯାତ୍ରା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସମଗ୍ର ମାନବ ସମାଜକୁ ଶିକ୍ଷା। ରଥଯାତ୍ରା ଓ ବାହୁଡ଼ା ଯାତ୍ରା କରି ପ୍ରଭୁ ଜଗତକୁ ତାଙ୍କ ଲୀଳାରେ ଦର୍ଶେଇଛନ୍ତି। ଘୋଷଯାତ୍ରା ପରି ବାହୁଡ଼ା ଯାତ୍ରା ବି ବିଶ୍ଵ ପ୍ରସିଦ୍ଧ। ସର୍ବ ଶୁଭ କାର୍ଯ୍ୟ ଏହି ବାହୁଡ଼ା ଯାତ୍ରାରେ ସମ୍ପୂର୍ଣ୍ଣ ହେବାର ବିଧି ରହିଛି। ଦଶମୀ ତିଥିରେ ମହାପ୍ରଭୁଙ୍କ ମହାନ ପ୍ରତ୍ୟାବର୍ତ୍ତନର ଯେଉଁ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ ତାହାର ସମସ୍ତ ବିଧିବିଧାନ ଓ ଠାକୁର ମାନଙ୍କର ପୂଜା ଅର୍ଚ୍ଚନା ଠିକ୍ ଗୁଣ୍ଡିଚା ଯାତ୍ରା ଭଳି କରାଯାଇଥାଏ । ନବମୀ ଦିନ ରାତିରେ ବଡ଼ସିଂହାର , ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି। ଏହାପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି। ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି କରାଇଥାନ୍ତି। ବାହୁଡା ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଢାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସମ୍ପୃକ୍ତ ସେବକମାନଙ୍କ ସାହାର୍ଯ୍ୟରେ ପୂଜା ସମାପନ ହୋଇଥାଏ। ଏହା ପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ଗୁପ୍ତ ନୀତି କରିଥାନ୍ତି । ଉକ୍ତ କାର୍ଯ୍ୟ ଶେଷ ହେବାପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକଙ୍କଦ୍ୱାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ। ତତ୍ପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବା ପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ , ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି କରିଥାନ୍ତି। ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢାଇଥାନ୍ତି। ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ନିଜ ନିଜ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢିଥାଏ। ଉକ୍ତ ଦିନ ମଧ୍ୟ ଗଜପତି ବଡ଼ଶଙ୍ଖଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ତାମଯାନରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ୱାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି। ସେଠାରେ ଶ୍ରୀଗୁଣ୍ଡିଚା ଦିନ ପରି ତିନି ରଥରେ ଛେରାପହଁରା କରିଥାନ୍ତି। ଛେରାପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଙ୍ଗେ ସଙ୍ଗେ ରୂପକାର ସେବକମାନେ ରଥରେ ଘୋଡା ବନ୍ଧାଯାଇ ଡାହୁକ ବସେ। ମହାରଣା ଓ ଭୋଇ ସେବକମନେ ରଥ ଦଉଡି ଲଗାଇବା ପରେ ରଥଟଣା ହୋଇଥାଏ। ମାଉସୀମା ମନ୍ଦିରରୁ ପୋଡ଼ ପିଠା ଭୋଗ ଖାଇସାରି ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ହେଉ ହେଉ ସିଂହଦ୍ବାରର ପ୍ରଧାନ ଫାଟକକୁ ମାଆ ଲକ୍ଷ୍ମୀ ଅଭିମାନରେ ବନ୍ଦ କରି ଦିଅନ୍ତି। ଅଭିମାନର କାରଣ ଶ୍ରୀଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଏକାକି ଛାଡିଦେଇ ମହାପ୍ରଭୁ ଭାଇ ଭଉଣୀଙ୍କୁ ସଙ୍ଗରେ ନେଇ ନବଦିନ ଯାତ୍ରା କରିଥିଲେ। ସେବକମାନଙ୍କ ବଚନିକା ଜରିଆରେ ଜଗନ୍ନାଥେ ଲକ୍ଷ୍ମୀଙ୍କୁ ନାନା ଭାବରେ ବୁଝାଇ ରସଗୋଲା ଖୁଆଇ ମାଆଙ୍କର ମାନ ଭଞ୍ଜନ କରି ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି । ଏଥିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଉତ୍କଳର ନରନାରୀ ନିଜର ପରିବାରର ଲୋକ ଭାବରେ ଗ୍ରହଣ କରି ନେଇଛନ୍ତି  ବୋଲି ମନେ ହୋଇଥାଏ  ଓ ମହାପ୍ରଭୁ  ଅବିକଳ ମଣିଷ ପରି ସ୍ନେହ , ଅଭିମାନ ପ୍ରକାଶ କରି ଚଳପ୍ରଚଳ ବୋଲି ବିଶ୍ବାସ କରାଯାଏ । ତେଣୁ ମହାପ୍ରଭୁଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ମଣିଷର ଜୀବନ ଚଳଣିର ଯାତ୍ରା ସହ ସାମଞ୍ଜସ୍ୟ ଥାଏ ବୋଲି ଜନମାନସରେ କଥିତ ଅଛି । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ।