ଭୁବନେଶ୍ୱର: ଭାରତୀୟ ହକି ଦଳର ଆଇକନିକ୍ ‘ନୀଳ’ (Blue) ଜର୍ସିକୁ ହଟାଇ ଗେରୁଆ (Saffron) ରଙ୍ଗର ଜର୍ସି ଲାଗୁ କରିବା ନିଷ୍ପତ୍ତିକୁ ନେଇ ଏବେ ସାରା ଦେଶରେ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ହକି ଇଣ୍ଡିଆ (Hockey India) ଦ୍ୱାରା ଆଗାମୀ ବିଶ୍ୱକପ୍ ପାଇଁ ଉନ୍ମୋଚିତ ନୂଆ ଗେରୁଆ ଜର୍ସିକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ (Sponsor) ରହିଆସିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ବିଜେପି ସରକାର ଉପରେ କ୍ରୀଡ଼ାର ରାଜନୈତିକରଣ କରୁଥିବା ଅଭିଯୋଗ ଆଣିଛନ୍ତି।
📌 “ଏହା ସବୁଠାରୁ ହୀନମାନର ରାଜନୀତି”: ନବୀନ ପଟ୍ଟନାୟକଙ୍କ ବିସ୍ଫୋରକ ପୋଷ୍ଟ
ଭାରତୀୟ ହକିକୁ ପୁନରୁଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ‘X’ ରେ ଏକ ପୋଷ୍ଟ କରି ନିଜର ଗଭୀର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନବୀନ ଲେଖିଛନ୍ତି, “ଭାରତୀୟ ହକି ଦଳର ଐତିହାସିକ ଜର୍ସିର ରଙ୍ଗ ବଦଳାଇ ଗେରୁଆ କରାଯାଇଥିବା ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଭାରତୀୟ ହକି ଦଳର ଆଇକନିକ୍ ନୀଳ ରଙ୍ଗ କେବଳ ଗୋଟିଏ ରଙ୍ଗ ନୁହେଁ, ଏହା ଦେଶର କ୍ରୀଡ଼ା ଐତିହ୍ୟ ସହ ଯୋଡ଼ିହୋଇଥିବା ଏକ ଅତୁଟ ଆବେଗ। ଦଶନ୍ଧି ଦଶନ୍ଧି ଧରି ଏହି ରଙ୍ଗ ଆମକୁ ଆଶା, ବିଜୟ, ପରାଜୟ ଏବଂ ଶ୍ରେଷ୍ଠତା ପ୍ରତିପାଦନରେ ଏକାଠି ବାନ୍ଧି ରଖିଛି।
ନୀଳ ଜର୍ସି ପିନ୍ଧି ଆମ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ ମେଡାଲ ଜିତିଛନ୍ତି ଏବଂ ବିଶ୍ୱ ଦରବାରରେ ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଆମ ଜାତୀୟ ପତାକାର ଅଶୋକ ଚକ୍ରରୁ ଏହି ନୀଳ ରଙ୍ଗ ନିଆଯାଇଛି, ଯାହା ଆମ ଜାତୀୟ ଗୌରବ ଓ ପରିଚୟର ପ୍ରତୀକ। ନୀଳ ରଙ୍ଗ ପ୍ରତ୍ୟେକ ଭାରତୀୟଙ୍କର।
ଯେତେବେଳେ ଜାତୀୟ ହକି ଦଳ ପ୍ରାୟୋଜକ ଅଭାବରୁ ସଂଘର୍ଷ କରୁଥିଲା, ସେତେବେଳେ ଓଡ଼ିଶା ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଜାତୀୟ ଦଳକୁ ପ୍ରାୟୋଜିତ କରି ଇତିହାସ ରଚିଥିଲା। ୪୧ ବର୍ଷ ପରେ ଆମ ପୁରୁଷ ଦଳ ଅଲିମ୍ପିକ୍ ମେଡାଲ ଜିତିଥିଲା। କେବଳ ଓଡ଼ିଶାରେ ସରକାର ବଦଳିଗଲା ବୋଲି ଆମ ଜାତୀୟ ଦଳର ରଙ୍ଗ ବଦଳାଇ ଦିଆଯିବ, ଏହା ନିମ୍ନମାନର ରାଜନୀତି (Petty politics of the worst kind) ବ୍ୟତୀତ ଆଉ କିଛି ନୁହେଁ।
ଆର୍ଜେଣ୍ଟିନାର ଷ୍ଟ୍ରାଇପ୍ସ ଏବଂ ବ୍ରାଜିଲର ହଳଦିଆ ଜର୍ସି ଭଳି ଆମର ନୀଳ ଜର୍ସି ଆମ ସମୂହ ସ୍ମୃତିରେ ସଦା ସର୍ବଦା ପାଇଁ ଲିପିବଦ୍ଧ। ଏହି ରଙ୍ଗକୁ ବଦଳାଇବା ଆମର ଅମୂଲ୍ୟ କ୍ରୀଡ଼ା ଐତିହ୍ୟକୁ ଲିଭାଇବାର ଏକ ଅପଚେଷ୍ଟା। ଜାତୀୟ ପ୍ରତୀକଗୁଡ଼ିକ ଆମକୁ ଯୋଡ଼ିବା ପାଇଁ, ଭାଗ ଭାଗ କରିବା ପାଇଁ ନୁହେଁ।
ଓଡ଼ିଶାର ବିଜେପି ସରକାରଙ୍କ ଚାପ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଁ ଜାଣିବାକୁ ପାଇଛି। ଗତ ଦୁଇ ବର୍ଷ ହେଲା ଓଡ଼ିଶାରେ ସରକାରୀ କୋଠା, ବସ୍ ଏବଂ ପୋଲଗୁଡ଼ିକର ରଙ୍ଗ ବଦଳାଇବାରେ ସରକାରଙ୍କ ଯେଉଁ ନିଶା ରହିଛି, ତାହା ସମସ୍ତେ ଦେଖିଛନ୍ତି। ଏବେ ସେମାନେ ଆମ ଜାତୀୟ ଦଳର ରଙ୍ଗ ବଦଳାଇ ଦେଇଛନ୍ତି। ବିଜେପି ଓଡ଼ିଶାର ହକି ଭଳି ଜାତୀୟ ଖେଳକୁ ରାଜନୈତିକରଣ କରିବାର ଏହି ପ୍ରଚେଷ୍ଟାକୁ ମୁଁ ଦୃଢ଼ ନିନ୍ଦା କରୁଛି।”

“ଦେଶର ଆତ୍ମା ଓ ଭାଇଚାରାକୁ କେହି ବଦଳାଇ ପାରିବେ ନାହିଁ”: ପ୍ରିୟଙ୍କା ଗାନ୍ଧୀ
ଏହି ବିବାଦରେ କଂଗ୍ରେସ ମଧ୍ୟ ସାମିଲ ହୋଇ ବିଜେପି ଓ ଆରଏସଏସ (RSS) କୁ କଡ଼ା ଭାଷାରେ ଆକ୍ରମଣ କରିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ସେମାନେ ପୋଷାକର ରଙ୍ଗ ବଦଳାନ୍ତୁ କିମ୍ବା ଶିକ୍ଷାନୀତି ଜରିଆରେ ଇତିହାସ ବଦଳାଇବାକୁ ଚେଷ୍ଟା କରନ୍ତୁ, କିନ୍ତୁ ଏହି ଦେଶର ଯୁବବର୍ଗ ଏହା ସବୁ ବୁଝିପାରୁଛନ୍ତି।”
“ଦେଶର ସ୍ୱାଧୀନତା ସଂଗ୍ରାମ ସତ୍ୟ, ଅହିଂସା ଏବଂ ଏକତା ଉପରେ ଆଧାରିତ ଥିଲା। ଏହି ସଂଗ୍ରାମରେ ଆରଏସଏସର କୌଣସି ଭୂମିକା ନଥିଲା। ବିଜେପି ଯେତେ ବିଭାଜନ କିମ୍ବା ଘୃଣା ସୃଷ୍ଟି କଲେ ମଧ୍ୟ ଭାରତର ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଭାଇଚାରାର ଆତ୍ମାକୁ କେହି ଛଡ଼ାଇ ନେଇପାରିବେ ନାହିଁ।”
ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା
କେବଳ ରାଜନେତା ନୁହଁନ୍ତି, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଓ ଅଲିମ୍ପିଆନ୍ ଭିରେନ ରସ୍କିନ୍ହା (Viren Rasquinha) ମଧ୍ୟ ହକି ଇଣ୍ଡିଆର ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ହକିର ପରିଚୟ ଏବଂ ଐତିହ୍ୟ ସର୍ବଦା ‘ନୀଳ’ ରଙ୍ଗ ସହ ଜଡ଼ିତ। ଗେରୁଆ ରଙ୍ଗ କରିବା ପଛରେ କି ଯୁକ୍ତି ରହିଛି, ତାହା ବୋଧଗମ୍ୟ ନୁହେଁ।
ଯଦିଓ ହକି ଇଣ୍ଡିଆ ପକ୍ଷରୁ ସଫେଇ ଦିଆଯାଇଛି ଯେ ଗେରୁଆ ରଙ୍ଗ ସାହସ, ତ୍ୟାଗ ଏବଂ ବିଜୟର ପ୍ରତୀକ, କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏବଂ ସରକାର ହକିର ମୁଖ୍ୟ ପ୍ରାୟୋଜକ ହୋଇଥିବାରୁ, ଏପରି ନିଷ୍ପତ୍ତି ପଛରେ ରାଜନୈତିକ ଚାପ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି।