ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ମିଳିଲା ବୋମା ଧମକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ । ଏହା ପୂର୍ବରୁ ଜାନୁଆରୀ ୮, ମାର୍ଚ୍ଚ ୧ ଏବଂ ଏପ୍ରିଲ ୨ ତାରିଖରେ ଏଭଳି ତିନି ତିନିଥର ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ପୋଲିସ ସୁରକ୍ଷା ବାହିନୀ, ଦମକଳ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜିଲାକୋର୍ଟ ପରିସର ସହିତ ସିଭିଲ କୋର୍ଟ ଆଦି ସମଗ୍ର ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି । ସେପଟେ ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର କହିଛନ୍ତି, ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି । ବର୍ତ୍ତମାନ ପ୍ରତ୍ୟେକ ପ୍ରବେଶ ପଥରେ ଲୋକଙ୍କର ସ୍କ୍ରିନିଂ କରାଯାଉଥିବା ବେଳେ ଡିଏଫଏମଡି ଏବଂ ଏଚଏଚଏମଡି ଭଳି ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ କଡ଼ା ଯାଞ୍ଚ କରାଯାଉଛି। ଏଥିସହିତ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି ।

ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବରୁ ଆସିଥିବା ଏଭଳି ଧମକପୂର୍ଣ୍ଣ ମେଲ୍‌ ଗୁଡ଼ିକ ବିଦେଶରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତଦନ୍ତକାରୀ ଦଳ ନେଦରଲାଣ୍ଡ ଏବଂ ଜର୍ମାନୀ ଭଳି ଦେଶରୁ ଆଇପି ଆଡ୍ରେସ ଚିହ୍ନଟ କରିଥିବା ବେଳେ ପ୍ରକୃତ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ଆନ୍ତର୍ଜାତୀୟ ନିୟମ ଅନୁସାରେ ପଦକ୍ଷେପ ନିଆଯାଉଛି। ଅନ୍ୟପଟେ ବାର୍ ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ଡ.ପ୍ରମୋଦ ରଥ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିବା ସହ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Related Posts