ନିଶ୍ଚିନ୍ତକୋଇଲି(ସତ୍ୟପାଠ ବ୍ୟୁରୋ): ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କାର ଭିତରୁ ଯୁବତୀଙ୍କୁ ଟାଣି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୋଲିସ।

ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କେନ୍ଦ୍ରାପଡ଼ା ଯାଉଥିଲେ। ରାସ୍ତାକଡ଼ରେ କାର୍‌ ରଖି ସେମାନେ କିଛି ସମୟ ପାଇଁ ଅଟକିଥିଲେ। ଏହି ସମୟରେ ୬ ଜଣ ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ କାର୍‌ରୁ ବାହାରିବାକୁ କହିଥିଲେ। ଅଭିଯୋଗ ଅନୁସାରେ, କାର୍‌ର ଡୋର୍‌ ନଖୋଲିବାରୁ ଅଭିଯୁକ୍ତମାନେ ଚିମୁଟାରେ କାର୍‌ର କାଚ ଭାଙ୍ଗି ଯୁବତୀଙ୍କୁ ବାହାରକୁ ଟାଣି ନେଇଥିଲେ। ପରେ ରାସ୍ତାପାର୍ଶ୍ୱରେ ଥିବା ଏକ ଭଙ୍ଗା ଘରକୁ ନେଇ ତାଙ୍କୁ ଗଣଦୁଷ୍କର୍ମ କରିଥିବା ପୁଲିସ କହିଛି। ଏହି ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି । ଏଯାବତ୍‌ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜଣେ ଡିଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି । ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି ।