କୋରାପୁଟ(ସତ୍ୟପାଠବ୍ୟୁରୋ ): ସ୍ବାଧୀନତାର ୮ ଦଶନ୍ଧ ପରେ ବି ଗଁାକୁ ରାସ୍ତା ନଥିବାରୁ ହଟହଟା ହୋଇଛନ୍ତି ଜଣେ ଗର୍ଭବତୀ। ଗୋଟିଏ ପଟେ ପ୍ରସବ ଯନ୍ତ୍ରଣା ତ, ଅନ୍ୟ ପଟେ ଖରାପ ରାସ୍ତା ଯୋଗୁଁ ଛଟପଟ ହୋଇଛନ୍ତି ମହିଳା। ଅଧାବାଟରେ ଆମ୍ବୁଲାନ୍ସ ଅଟକି ଥିବାବେଳେ ଦୀର୍ଘ ୩ କିମି ପର୍ଯ୍ୟନ୍ତ ଗର୍ଭବତୀଙ୍କୁ େଷ୍ଟଚରରେ ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଦୃଶ୍ୟ େଦଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଗ୍ରାମପୁଟ ଗାଁରେ।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରେ ଶ୍ରୀଗ୍ରାମପୁଟ ଗାଁର ମଣି ଖିଲଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ହେଲେ ରାସ୍ତାର ଅବସ୍ଥା ଏତେ ଖରାପ ଥିଲା ଯେ ଆମ୍ବୁଲାନ୍ସଟି ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଆଗକୁ ଯାଇପାରି ନ ଥିଲା। ପରିସ୍ଥିତିକୁ ଦେଖି ୧୦୮ ଆମ୍ବୁଲାନ୍ସର ଚାଳକ ଗୋପାଳ କୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି ଓ ସହାୟକ ଦୀପକ ପାତ୍ର ଚାଲି ଚାଲି ଗାଁରେ ପହଞ୍ଚିଥିଲେ। ପରେ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀ ମଣି ଖିଲଙ୍କୁ ଷ୍ଟ୍ରେଚରରେ ଶୁଆଇ ପ୍ରାୟ ୩ କିଲୋମିଟର ଦୂରରେ ଅଟକିଥିବା ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଜରୁରୀ ସମୟରେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ନ ପାରିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଦେଖାଇ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିବା ୧୦୮ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷା ଦିନରେ ନନ୍ଦପୁର ବ୍ଲକର ୧୦୦ରୁ ଊର୍ଦ୍ଧ୍ୱ ଗାଁର ରାସ୍ତା ଅବସ୍ଥା ଦୁର୍ବଳ ହୋଇପଡ଼ିଥାଏ। ଫଳରେ ଆମ୍ବୁଲାନ୍ସ ସମେତ ଅନ୍ୟ ଜରୁରୀକାଳୀନ ଯାନବାହନ ଗାଁଗୁଡ଼ିକରେ ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ଏଥିପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୁର୍ଗମ ଗାଁଗୁଡ଼ିକର ରାସ୍ତା ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ମରାମତି କରି ଯାତାୟାତ ଯୋଗ୍ୟ କରିବାକୁ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି।
