ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଗୁରୁବାର ‘ବନ୍ଦେ ମାତରମ୍’ ସହିତ ଲୋକସଭାର ଶେଷ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ପରେ ଲୋକସଭାର କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷ ଦିନରେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକସଭାର କାର୍ଯ୍ୟାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଗୁରୁବାର ଅଧିବେଶନର ଶେଷ ମୁହୂର୍ତ୍ତରେ ଲୋକସଭାରେ ପୂରା ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ସାଂସଦ ଛିଡ଼ା ହୋଇଥିଲେ । ବନ୍ଦେ ମାତରମ୍ ଗାନ ପରେ ଲୋକସଭା ସ୍ପିକର ଓମ ବିର୍ଲା ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରିଥିଲେ । ଶେଷ ଦିନରେ ମାତ୍ର ଏକ ମିନିଟ୍ ଚାଲିଲା ଗୃହ। ସେପଟେ ଗୃହମନ୍ତ୍ରୀ ଅମିତ ଶାହ ଜନ୍ତର-ମନ୍ତର ପ୍ରଦର୍ଶନ ଉପରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇ ବାଚସ୍ପତିଙ୍କୁ ପତ୍ର ଲେଖିବା ସହ ସମୟ ସ୍ଥିର ହେଲେ ସେ ଗୁରୁବାର ଏହାର ଜବାବ ଦେବେ ବୋଲି କହିଥିଲେ। ଅପରପକ୍ଷରେ ରାହୁଲ ଗାନ୍ଧୀ କହିଥିଲେ ବିରୋଧୀଙ୍କୁ ଶାହଙ୍କ ଭାଷଣ ଶୁଣିବାର ନାହିଁ । ପ୍ରଥମେ ସେ କୁହନ୍ତୁ, ଛାତ୍ରମାନଙ୍କ ଉପରେ ପାଲେଟ୍ ଗନ୍ ଚଳାଇବାକୁ କିଏ ଆଦେଶ ଦେଇଥିଲା ? ଯଦି ସେ ଆଦେଶ ଦେଇଥିଲେ, ତାହାଲେ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବିରୋଧୀଙ୍କ ପ୍ରତିବାଦ ଭିତରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ ରଖିଛନ୍ତି ବାଚସ୍ପତି ।
ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ହୋଇଛି। ହେଲେ ବିଡ଼ମ୍ବନାର ବିଷୟ ଏହାରି ଭିତରେ ମାତ୍ର ୧୫ ଘଣ୍ଟା ଚାଲି ପାରିଛି ଗୃହ। ବିରୋଧୀ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଗୃହକୁ ବାରମ୍ବାର ଅଚଳ କରିଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜିଦ ଯୋଗୁଁ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇ ପାରିଲା ନାହିଁ। କିଛି ହାତ ଗଣତି ବିଲକୁ ଛାଡ଼ି ଦେଲେ କୌଣସି ଗୁରୁତ୍ବ ପୂର୍ଣ୍ଣ ଆଲୋଚନା ହୋଇ ପାରି ନଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କା ନଷ୍ଟ ହୋଇଥିବା ଅଭିଯୋଗ ହେଉଛି। ଗୃହରେ ବିରୋଧୀଙ୍କ ଏଭଳି ଆଚରଣ ଦ୍ବାରା ସଂସଦର ଗରିମା ନଷ୍ଟ ହେଉଛି ବୋଲି ମତ ପ୍ରକାଶ ପାଇଛି। ଏଥର ବି ଆସିପାରିଲାନି ମହିଳା ସଂରକ୍ଷଣ, ଡିଲିମିଟେସନ ବିଲ୍। ସଂସଦ ଅଧିବେଶନ ଆରମ୍ଭ ହେଲେ, ଦେଶବାସୀଙ୍କ ହିତରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ନେଇ ଆଶା ଥାଏ। ହେଲେ ବିରୋଧୀଙ୍କ ଏଭଳି ହଟ୍ଟଗୋଳ ଯୋଗୁ କୌଣସି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହୋଇପାରିଲା ନାହିଁ ବୋଲି ଚର୍ଚ୍ଚା ହେଉଛି। ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ, ଦିଲ୍ଲୀରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀଙ୍କ ହଙ୍ଗାମା, ରାମମନ୍ଦିର ଚାନ୍ଦା ଚୋରି ଅଭିଯୋଗ ଏହିପରି ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ବାର ସଦନର କାର୍ଯ୍ୟାନୁଷ୍ଠାନ ବାଧାପ୍ରାପ୍ତ ହୋଇଥିଲା ।
ଶେଷ ଦିନରେ ସଂସଦ ପରିସରରେ ଥିବା ମକର ଦ୍ୱାରରେ ବିଜେପି ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ଦ୍ୱାରା ପ୍ରତିବାଦ କରାଯାଇଥିଲା। ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଓ ଚାକିରି ଅନ୍ବେଷୀଙ୍କ ପ୍ରତିବାଦକୁ କଂଗ୍ରେସ ସ୍ୱୀକାର କରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରି ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ କରିଥିଲା। ଅନ୍ୟପକ୍ଷ‌ରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ସେମାନଙ୍କର ଦାବିରେ ଅଟଳ ରହିଥିଲେ।
ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ହଲଦ୍ବାନୀ ପଡ଼ିଆ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ପ୍ରବଳ ହଟଚମଟ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉତ୍ତରାଖଣ୍ଡର ହଲଦ୍ବାନୀରେ ତାଙ୍କ ରାଲି ପରେ ପଡ଼ିଆକୁ ଶୁଦ୍ଧିକରଣ କରାଯିବା ଘଟଣା ଉଠାଇ କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଛନ୍ତି । ଅନ୍ୟପକ୍ଷରେ ଗୃହର ନେତା ଜେପି ନଡ୍ଡା ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।