ନାନ୍ଦେଡ,(ସତ୍ୟପାଠବ୍ୟୁରୋ): ଶିରୋମଣି ଅକାଳୀ ଦଳ ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ମହାରାଷ୍ଟ୍ରର ନାନ୍ଦେଡରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୁଖବୀର ସିଂହ ବାଦଲଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାତା ସାହିବ ଗୁରୁଦ୍ବାରା ଅଞ୍ଚଳରେ ବାଦଲଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ତାଙ୍କ ହାତରେ ଆଘାତ ଲାଗିଛି। ସୁଖବୀର ସିଂହ ବାଦଲଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ପୂର୍ବରୁ, ୪ ଡିସେମ୍ବର ୨୦୨୪ରେ, ସୁଖବୀର ସିଂହ ବାଦଲଙ୍କ ଉପରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଆକ୍ରମଣ କରାଯାଇଥିଲା। ସେ ଏକ ହତ୍ୟା ଉଦ୍ୟମରୁ ଅଳ୍ପକେ ବଞ୍ଚି ଯାଇଥିଲେ। ସୁଖବୀର ଧାର୍ମିକ ପ୍ରାର୍ଥନା କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ସମୟରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା, ଯାହା କାନ୍ଥରେ ବାଜିଥିଲା। ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ରାଜନୈତିକ ଶତ୍ରୁତା କାରଣରୁ ତାଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ସନ୍ଦେହ କରାଯାଉଛି।
