ବାଲେଶ୍ବର, (ସତ୍ୟପାଠବ୍ୟୁରୋ) : ବହୁ ଚର୍ଚ୍ଚିତ ଆରଜି କର ଦୁଷ୍କର୍ମ ମାମଲାରେ ବାଲେଶ୍ବରର ସିମୁଳିଆରୁ ପୂର୍ବତନ ଟିଏମସି ବିଧାୟକ ନିର୍ମଳ ଘୋଷ ଗିରଫ। ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୀଡ଼ିତା ଡାକ୍ତରଙ୍କ ଶବକୁ ତରବରିଆ ଭାବେ ଦାହ କରିବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ପୋଲିସ ଗିରଫ କରିଛି। ବାଲେଶ୍ବର ସିମୁଳିଆ ଥାନାରେ ତାଙ୍କୁ ଅଟକ ରଖାଯାଇଥିବାବେଳେ ପଚରାଉଚରା ପରେ ଗିରଫ କରାଯାଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ପୋଲିସ ଦ୍ବାରା ସିମୁଳିଆ ଅଞ୍ଚଳରେ ଏକ ହୋଟେଲରୁ ତାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖାଯାଇଥିଲା । ମୋବାଇଲ ଟ୍ରାକିଂ କରି ପୂର୍ବତନ ଟିଏମସି ବିଧାୟକ ନିର୍ମଳ ଘୋଷ ସିମୁଳିଆରେ ଲୁଚି ରହିଥିବା ଜଣାପଡ଼ିଥିଲା। ବାରାକପୁର କମିସନରେଟ୍ ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାରେ ନିର୍ମଳ ଘୋଷଙ୍କ ସମେତ ପାନିହାଟି ପୌରପାଳିକାର କାଉନସିଲର ସୋମନାଥ ଦେ ଏବଂ ପୀଡ଼ିତାଙ୍କ ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀଙ୍କ ନାମ ରହିଛି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ଖାରଦାହ ପୋଲିସ ଷ୍ଟେସନରେ ଏହି ନୂତନ ଏତଲା ରୁଜୁ କରାଯାଇଥିଲା । ମୃତ ଡାକ୍ତରଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦର ସମ୍ଭାବନାକୁ ଏଡ଼ାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଅତି ଶୀଘ୍ର ଶବଦାହ କରିଥିଲେ। ପରିବାରର ସମ୍ମତି ବିନା ଏବଂ ସେମାନଙ୍କ ଦସ୍ତଖତ ନଥାଇ କିପରି ଶବଦାହ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ସମୟରେ ଏହି ତିନି ଅଭିଯୁକ୍ତ ସେଠାରେ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟାର ତତ୍ତ୍ୱାବଧାନ କରୁଥିବା ଅଭିଯୋଗ ହୋଇଛି । ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟା ପୋଷ୍ଟଗ୍ରାଜୁଏଟ୍ ଟ୍ରେନି ଡାକ୍ତରଙ୍କୁ ବିଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି ।