କୋଲକାତା(ସତ୍ୟପାଠବ୍ୟୁରୋ): ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୬ ଜଣ ଆଖି ବୁଜିଛନ୍ତି। ସୋମବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବାବେଳେ ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଭୀଷଣ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଦୀର୍ଘ ସମୟର ପ୍ରୟାସ ପରେ ନିଆଁ ଆୟତ୍ତକୁ ଆସିଛି। ଆହତଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ସରକାରୀ ମେଡିକାଲ୍ କଲେଜ ସହ ଅନ୍ୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଅନୁସାରେ, ତାରାପୀଠ ଥାନା ଅଞ୍ଚଳରେ ପୋଖରୀ କୂଳରେ ଥିବା ଏକ ହୋଟେଲର ତଳ ମହଲାରେ ସକାଳେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ସୂଚନା ମିଳିବା ପରେ ତାରାପୀଠ ଓ ରାମପୁରହାଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶ୍ରାବଣ ସୋମବାର ପାଇଁ ତାରାପୀଠରେ ପ୍ରବଳ ଭିଡ଼ ଲାଗି ରହିଛି। ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଆସିଥାନ୍ତା। ଏଠାରେ ମାଆ ତାରାଙ୍କ ସହ ଭଗବାନ ଶିବଙ୍କ ପୂଜା ଚନ୍ଦ୍ରଚୂଡ଼ ରୂପେ କରାଯାଇଥାଏ। ସୂଚନା ଅନୁସାରେ, ଶ୍ରାବଣ ସୋମବାର ପାଇଁ ଅନେକ ତୀର୍ଥଯାତ୍ରୀ ହୋଟେଲରେ ଥିଲେ। ସକାଳେ ଅନେକ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ତେବେ ମୃତାହତ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।
