କେନ୍ଦୁଝର,(ସତ୍ୟପାଠବ୍ୟୁରୋ): ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାଣି। ସମସ୍ତେ ବିଶୁଦ୍ଧ ପିଇବା ପାଣି ପାଇବେ। ପ୍ରତ୍ୟେକଙ୍କ ଘରେ ପାଣି ସଂଯୋଗ କରିବା ପାଇଁ ଏମିତି ବିଭିନ୍ନ ଯୋଜନା ହୋଇଛି। ହେଲେ କେନ୍ଦୁଝର ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତର ତିଗିରିଆ ଗଁାରେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଠାକାର ଲୋକେ ଦୂଷିତ ବା ଡ୍ରେନ୍‌ର ଆବର୍ଜନା ମିଶା ପାଣି ପିଉଛନ୍ତି। ଫଳରେ ଛୋଟରୁ ବୟସ୍କ ପର୍ଯ୍ୟନ୍ତ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଥÒବା ଅଭିଯୋଗ େହାଇଛି।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ପ୍ରାୟ ଚାରି ମାସ ହେଲା ଲୋକଙ୍କ ଘରକୁ ଗୋଳିଆ ଓ ଦୂଷିତ ପାଣି ଆସୁଛି। ଲୋକେ ଉପାୟ ଶୂନ୍ୟ ହୋଇ ଏହି ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଏହି ପାଣି ବ୍ୟବହାର କରିବା ପରେ ଅନେକ ଲୋକ ଝାଡ଼ାବାନ୍ତି ସମେତ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହୋଇନଥିବା କ୍ଷୋଭର ସହ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏପରିକି ବର୍ଷ ବର୍ଷ ଧରି ଓଭରହେଡ୍ ପାଣି ଟାଙ୍କି ସଫା କରାଯାଉନଥିବା ଏବଂ ନିୟମିତ ବ୍ଲିଚିଂ ପକାଯାଉ ନାହିଁ। ଏହାସହ ଅନେକ ସ୍ଥାନରେ ପାଣି ପାଇପ୍ ଡ୍ରେନ୍ ଭିତର ଦେଇ ଯାଇଥିବାରୁ କେଉଁଠି ପାଇପ୍ ଫାଟି ଡ୍ରେନ୍ ପାଣି ପାଇପ୍ ଭିତରକୁ ପଶୁଥାଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି। ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରି ପାଣିର ଗୁଣବତ୍ତା ପରୀକ୍ଷା କରିବା ସହ ଗାଁ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇଦେବାକୁ ଦାବି ଜୋର ଧରିଛି ।