ନୂଆଦିଲ୍ଲୀ,(ସତ୍ୟପାଠ ବ୍ୟୁରୋ) : ‘ବନ୍ଦେ ମାତରମ’କୁ ନେଇ କଂଗ୍ରେସର ସିଡବ୍ଲୁସି ନିଷ୍ପତ୍ତି ପରେ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି। ଏନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ବିଭାଜନର ତ୍ରୁଟିକୁ ପୁଣି ଥରେ ଦୋହରାଉଛି । ୧୯୩୭ରେ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରାମକୁ ନେଇ କଂଗ୍ରେସ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ପୂର୍ବରୁ ହୋଇଥିବା ଭୁଲର ପରିଣାମ ଆମେ ଏବେ ଯାଏ ଭୋଗ କରୁଛି। ମୋଦି ସରକାର କଂଗ୍ରେସର ଏହି ଭୁଲକୁ ସୁଧାରି ଜାତୀୟ ଏକତାକୁ ମଜଭୁତ କରିଛି। ଏବେ ଦେଶ କଂଗ୍ରେସର ଏହି ନିଷ୍ପତ୍ତି ବିରୋଧରେ ଏକତ୍ର ହେବା ଦରକାର ବୋଲି ଶାହ କହିଛନ୍ତି। ସେମାନଙ୍କର ଏହି ତୁଷ୍ଟୀକରଣ ରାଜନୀତି ଆଉ କାମ କରିବ ନାହିଁ । ବିଜେପି କଂଗ୍ରେସର ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରୁଛି। ସେମାନେ କେବଳ ବଙ୍କିମ ବାବୁଙ୍କ ଏହି ରଚନାକୁ ଅପମାନିତ କରି ନାହାନ୍ତି ବଂର ଦେଶର ସ୍ବାଧୀନତା ପାଇଁ ପ୍ରାଣ ଦେଇଥିବା ଲୋକଙ୍କୁ ଅପମାନିତ କରିଛନ୍ତି। ଆଜି କଂଗ୍ରେସ ପୁଣି ଥରେ ନିଜର ୧୯୩୭ର ପ୍ରସ୍ତାବକୁ କାର୍ଯ୍ୟକାରୀ କରୁଛି। ସୂଚନାଯୋଗ୍ୟ ଯେ, ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳ ଏହାର ଜାତୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ଗୀତର କେବଳ ପ୍ରଥମ ଦୁଇଟି ଛନ୍ଦ ବା ପଦ ଗାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ବିବାଦ ଦେଖାଦେଇଛି। ବିଜେପିର ଅଭିଯୋଗର ଜବାବ ଦେଇ କଂଗ୍ରେସ ମୁଖପାତ୍ର ହମିଦ ହୁସେନ କହିଛନ୍ତି, ବନ୍ଦେ ମାତରାମକୁ ନେଇ ବିଜେପି କେବଳ ରାଜନୀତି କରୁଛି।
ପ୍ରକାଶ ଯେ, ଅଗଷ୍ଟ ୧୫ ତାରିଖରେ କଂଗ୍ରେସ ମୁଖ୍ୟାଳୟରେ ବନ୍ଦେ ମାତରମ୍ର ପୂର୍ଣ୍ଣ ସଂସ୍କରଣ ଗାଇବାର ଏକ ଭିଡିଓ ଭାଇରାଲ ହେବା ପରେ ଏହି ବିତର୍କ ଆରମ୍ଭ ହୋଇଥିଲା। ବିଜେପି ଅଭିଯୋଗ କରିଥିଲା ଯେ ରାଜ୍ୟସଭା ସଦସ୍ୟା ସୋନିଆ ଗାନ୍ଧୀ କାର୍ଯ୍ୟକ୍ରମ ସମୟରେ ପୂର୍ଣ୍ଣ ସଂସ୍କରଣ ବଜାଇବାରୁ ରୋକିବାକୁ ଚେଷ୍ଟା କରିଥିଲେ,ଯେତେବେଳେ କଂଗ୍ରେସ ସ୍ପଷ୍ଟ କରିଥିଲା ଯେ ସିପିପି ଅଧ୍ୟକ୍ଷା କେବଳ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପାଇଁ ଏକ ଚୌକି ଅନୁରୋଧ କରୁଥିଲେ। ସେବେଠାରୁ, ଉଭୟ ପକ୍ଷ ପରସ୍ପର ଉପରେ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବାର ଅଭିଯୋଗ ଆଣିଛନ୍ତି। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ, ବନ୍ଦେ ମାତରମ୍ ପ୍ରଥମ ଥର ପାଇଁ ସାହିତ୍ୟ ପତ୍ରିକା ବଙ୍ଗଦର୍ଶନରେ ୭ ନଭେମ୍ବର ୧୮୭୫ରେ ପ୍ରକାଶିତ ହୋଇଥିଲା।
