ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): କଟକରୁ ଭୁବନେଶ୍ବର ସବୁଠି ନକଲି ପନିର। ଖାଦ୍ୟ ସୁରକ୍ଷା ଦଳର ଚଢାଉ ପରେ ସାମ୍ନାକୁ ଆସିଛି କଟକ ଛେନାର ଅସଲ ଚିତ୍ର। ଅତର୍କିତ ଚଢାଉରେ ଭୁବନେଶ୍ବରରେ ଅପମିଶ୍ରିତ ପନିର ମିଳିଥିବାବେଳେ କଟକ ନିଆଳିରେ ଚଢାଉ ପୂର୍ବରୁ ହୋଟେଲରୁ ଗାୟବ ହୋଇଗଲା ପନିର ଓ ମିଠା। ଅପମିଶ୍ରିତ ପନିର ନେଇ କଟକ, ଭୁବନେଶ୍ବର, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ବଜାରରେ ବିକ୍ରି ହେଉଥିବା ପନିର କେତେ ଶୁଦ୍ଧ ନା ଅପମିଶ୍ରିତ ସେନେଇ ଯାଞ୍ଚ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ଭୁବନେଶ୍ବରର ବିଭିନ୍ନ ଛକ ବଜାରରେ ଥିବା ଛୋଟ ବଡ ଦୋକାନରେ ଚାଲିଛି ଅତର୍କିତ ଚଢାଉ।  ପ୍ରଥମେ କିଛି ଦୋକାନରେ ଭଲ ପନିର ମିଳିଥିବାବେଳେ ଶେଷରେ ଚନ୍ଦ୍ରଶେରପୁର ଅଞ୍ଚଳର ଏକ ଦୋକାନରୁ ମିଳିଲା ଅପମିଶ୍ରିତ ପନିର। ଅପମିଶ୍ରିତ ପନିର ମିଳିବା ପରେ ପାଖାପାଖି ୬୦କିଲୋର ପନିର ଓ ଛେନା ଫିଙ୍ଗି ଦିଆଯାଇଛି। ପୁନର୍ବାର ଏଭଳି କଲେ ଦୋକାନ ସିଜ କରିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। କଟକ ଜିଲ୍ଲାର ନିଆଳି ଓ ନିମାପଡା ଅଞ୍ଚଳରୁ କଟକ-ଭୁବନେଶ୍ବରକୁ ପନିର ଓ ଛେନା ଆସୁଛି। ସେଥିରୁ ଅନେକ ଅପମିଶ୍ରିତ ବୋଲି ଜଣାପଡିବା ପରେ  ନିଆଳିରେ ପହଞ୍ଚିଥିଲା ଖାଦ୍ୟ ସୁରକ୍ଷା ଦଳ। ବିଭିନ୍ନ ମିଠା ଦୋକାନରେ ଯାଞ୍ଚ କରିଥିଲା ଦଳ। କିନ୍ତୁ ଖାଦ୍ୟ ସୁରକ୍ଷା ଯାଞ୍ଚ ଦଳ ମିଠା ଦୋକାନରେ ପହଞ୍ଚିବା ପୂର୍ବରୁ ମିଠା ଦୋକାନରୁ ଛେନା, ପନିର ଓ ମିଠା ଗାୟବ ହୋଇଯାଇଥିଲା। ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ଅନ୍ୟପଟେ ବଜାରରେ ବିକ୍ରି ହେଉଥିବା ଅପମିଶ୍ରିତ ପନିର ଓ ଛେନାକୁ ନେଇ ମିଠା ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି।