ମୁମ୍ବାଇ,(ସତ୍ୟପାଠବ୍ୟୁରୋ): ଗଣେଶ ପୂଜା ପୂର୍ବରୁ ବଡ଼ ଅଘଟଣ ଘଟିଛି। ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ । ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ପ୍ରତିମାର ଆଗମନ ଶୋଭାଯାତ୍ରା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ୨୨ ଫୁଟ ଉଚ୍ଚର ଗଣପତି ପ୍ରତିମାଟି ହଠାତ୍ ଖସିପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ନେଭସେ (୩୩) ଏବଂ ବ୍ରିଜେଶ ହେମନ୍ତ ଯୋଶୀ (୩୦) । ଆହତମାନେ ହେଲେ ବୈଭବ ଘେନନ୍ଦ (୩୮), ପୱନ ଚୌରାସିଆ (୨୫), ଲାବଣ୍ୟ ଗନେର (୫), ଦିବ୍ୟା ଗନେର (୭) ଓ କୁନାଲ କାଶିଦ (୨୬) । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମଣ୍ଡପଠାରୁ ମାତ୍ର ୫୦ ମିଟର ଦୂରରେ ପ୍ରତିମାଟି ବୋହି ନିଆଯାଉଥିବା ଫ୍ରେମ୍ ର ୱେଲ୍ଡିଂ ଭାଙ୍ଗିଯିବାରୁ ଏହା ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଘଟଣାସ୍ଥଳରେ ମୁମ୍ବାଇ ମହାନଗର ନିଗମ , ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣା ସମ୍ପର୍କରେ ଡି.ବି. ମାର୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଭୁଲେଶ୍ୱରର ଜୟ ଅମ୍ବେ ଚୌକସ୍ଥିତ କବୁଟରଖାନାସ୍ଥିତ ବଳରାମ ମର୍ଚ୍ଚାଣ୍ଟ ରୋଡ୍ରେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଏହି ମୂର୍ତ୍ତିକୁ ବାଇକୁଲ୍ଲାରୁ ଭୁଲେଶ୍ୱର ନିଆଯାଉଥିଲା । ପେଣ୍ଡାଲର ପ୍ରାୟ ୫୦-୬୦ ମିଟର ପୂର୍ବରୁ ଘଟିଥିଲା । ମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ମୋଟ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
