କୋରାପୁଟ,(ସତ୍ୟପାଠବ୍ୟୁରୋ): କୋଟିଆ ଅଞ୍ଚଳରେ ଗୁଣାତ୍ମକ ଓ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତି ଶୁକ୍ରବାର ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଯାଉଛନ୍ତି। ଯାହାଫଳରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସହିତ ଅନ୍ୟାନ୍ୟ ଆବଶ୍ୟକ ବିଶେଷଜ୍ଞ ସେବା କୋଟିଆ ଅଞ୍ଚଳରେ ଉପଲବ୍ଧ ହେଉଛି।
ଚଳିତବର୍ଷ ୧୨ ଜୁନରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ୧୭ଟି ନିର୍ଦ୍ଧାରିତ ତାରିଖରେ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ କୋଟିଆ ଗସ୍ତ କରି ସ୍ବାସ୍ଥ୍ୟସେବା ପ୍ରଦାନ କରିବେ। ଏହାସହିତ କମ୍ୟୁନିଟି ମେଡିସିନ୍ ବିଭାଗ ପକ୍ଷରୁ ରୋଗ ନିରୀକ୍ଷଣ ଓ ପ୍ରତିଷେଧକ ସ୍ବାସ୍ଥ୍ୟସେବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ବିଶେଷକରି ବୟସ୍କଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମ କରାଯାଉଛି। ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି ଦିଗରେ ମଧ୍ୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର, ପରିମଳ ବ୍ୟବସ୍ଥା, ସ୍ବଚ୍ଛତା ଏବଂ ମଶାରି ବ୍ୟବହାର ସମ୍ପର୍କରେ ସଚେତନ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କୋଟିଆରେ ବିଶେଷଜ୍ଞଙ୍କ ଚିକିତ୍ସା ସେବା ସହ ପ୍ରତିଷେଧକ ଓ ସଚେତନତାଭିତ୍ତିକ ସ୍ବାସ୍ଥ୍ୟସେବାର ସମନ୍ବୟ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।