ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଶହ ଶହ ତ୍ରୁଟି ଚିହ୍ନଟ ହେବା ପରେ ସାରା ରାଜ୍ୟରେ ତେଜିଥିଲା ବିବାଦ। ଇତି ମଧ୍ୟରେ ସାଢେ ୩ ମାସ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ମିଳିନି ତ୍ରୁଟିଶୂନ୍ୟ ନୂଆ ବହି । ଏବେ ବି ପିଲା ତ୍ରୁଟିପୂର୍ଣ୍ଣ ବହିରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ । ଆଗକୁ ଷାଣ୍ମାସିକ ପରୀକ୍ଷା ଥିବାବେଳେ କେଉଁ ବହିକୁ ଆଧାର କରି ଉତ୍ତର ଲେଖିବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପିଲା, ଅଭିଭାବକ ଓ ଶିକ୍ଷକ। ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଶହ ଶହ ତ୍ରୁଟି ଚିହ୍ନଟ ହେବା ପରେ ସାରା ରାଜ୍ୟରେ ତେଜିଥିଲା ବିବାଦ । ଅଭିଭାବକ ଓ ବିଭିନ୍ନ ମହଲରୁ ଦାବି ପରେ ଗଣଶିକ୍ଷା ବିଭାଗ ତ୍ରୁଟିଶୂନ୍ୟ ବହି ଯୋଗାଇବାକୁ ଘୋଷଣା କରିଥିଲା । ହେଲେ ଘୋଷଣାକୁ ପ୍ରାୟ ୨ ମାସ ପୂରିବାକୁ ବସିଥିଲେ ବି ନୂଆ ବହି କେବେ ମିଳିବ, ସେନେଇ ସ୍ପଷ୍ଟ ସୂଚନା ନାହିଁ । ଏପଟେ ଆଉ କିଛି ଦିନ ପରେ ଷାଣ୍ମାସିକ ପରୀକ୍ଷା । ତେଣୁ ପୁରୁଣା ତ୍ରୁଟିପୂର୍ଣ୍ଣ ବହିରୁ ପାଠ ପଢ଼ି ପିଲାମାନେ ପରୀକ୍ଷା ଦେଲେ କେଉଁ ଉତ୍ତରକୁ ଠିକ୍‌ ଧରାଯିବ, ତାହା ନେଇ ପ୍ରଶ୍ନ ଉଠିଛି  । ନୂଆ ବହି ଯୋଗାଣକୁ ନେଇ ମନ୍ତ୍ରୀ, ବିଭାଗୀୟ ସଚିବ ଓ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ ସୂଚନା ନଥିବା ଅଭିଯୋଗ ହେଉଛି। ବହିରେ ଏତେ ସଂଖ୍ୟକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଷଡ଼ଯନ୍ତ୍ରର ଅଭିଯୋଗ ଉଠାଇଥିଲେ। ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ମାମଲାରେ ମନୋଜ ପାଢ଼ୀଙ୍କୁ ଗିରଫ କରାଯିବା ସହ ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ କରାଯାଇଥିଲା । ଏନ୍‌ସିଇଆର୍‌ଟିରୁ ଆରମ୍ଭ କରି ବହି ଛପା ପର୍ଯ୍ୟନ୍ତ ବିଭିନ୍ନ ଦିଗ ଯାଞ୍ଚ ହୋଇଥିଲା । ତେବେ ଏବେ ତଦନ୍ତର ଗତି ଧିମେଇ ଯାଇଥିବା ଅଭିଯୋଗ ହେଉଛି । ବହିରେ ଏତେ ତ୍ରୁଟି କେମିତି ରହିଲା, ଏହା ପଛରେ କାହାର ଭୂମିକା ଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଘଟଣା ଘଟିଲା, ତାହା ଏବେ ବି ଅସ୍ପଷ୍ଟ । ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ବହି ମିଳିବ କେବେ? ଏହାକୁ ନେଇ ଅପେକ୍ଷାରେ ପିଲା, ଶିକ୍ଷକ ଓ ଅଭିଭାବକ ।