ଆଦିବାସୀଙ୍କ ନାଁ ନେଇ  ନିର୍ବାଚନ ହେଉଛି, ନେତା, ମନ୍ତ୍ରୀ ଓ ଜନପ୍ରତିନିଧିମାନେ ମଧ୍ୟ ଆଦିବାସୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି  େଦଇ ନିର୍ବାଚିତ ମଧ୍ୟ ହେଉଛନ୍ତି। ହେଲେ ଥରେ ଆସନ ହାସଲ କରି ସାରିବା ପରେ ସବୁ କିଛି ଭୁଲି ଯାଆନ୍ତି। ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟି ଯାଏ।  ପ୍ରକୃତରେ ସେଇ ଆଦିବାସୀଙ୍କ ପାଖରେ ପହଞ୍ଚÒ ସେମାନଙ୍କ ଦୁଃଖ ଶୁଣିବା ପାଇଁ ଆଉ ଥରଟିଏ ଚେଷ୍ଟା ମଧ୍ୟ କେହି କରନ୍ତି ନାହିଁ।

 

କୋରାପୁଟ, (ସତ୍ୟପାଠବ୍ୟୁରୋ): ପାଠ ପଢ଼ିବାକୁ ନାହିଁ ସ୍କୁଲ, ଚାଲିବାକୁ ନାହିଁ ବାଟ। ଘଞ୍ଚ ଜଙ୍ଗଲ ଭରା ୮ କିମି ରାସ୍ତା ଅତିକ୍ରମ କରି ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛନ୍ତି। ଏହା େଯତିକି କଷ୍ଟକର ସେମାନଙ୍କ ଜୀବନ ପ୍ରତି ମଧ୍ୟ ସେତିକି ବିପଦ ଥିବାରୁ ଅନେକ ପିଲାଙ୍କ ପାଠରେ େଡାରି ବନ୍ଧା ହୋଇଯାଇଛି। ବର୍ତ୍ତମାନ ଗଁାରେ ଆବଶ୍ୟକ ପିଲା ଥିଲେ  ସତ୍ତ୍ବେ ଗଁାରେ ସ୍କୁଲ ଖୋଲା ଯାଉନାହିଁ। ଏଭଳି ଅଭିଯୋଗ େନଇ କୋରାପୁଟ ଜିଲ୍ଲାପାଳଙ୍କୁ ଘେରିଛନ୍ତି ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥିନବର ପଞ୍ଚାୟତ ଅନ୍ତର୍ଗତ ଟକିରିପଦର ଗ୍ରାମବାସୀ। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଦାବି ପୂରଣ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ଜଙ୍ଗଲ ଘେରା ଏହି ଗାଁରେ ପ୍ରାୟ ୭୦ ପରିବାର ବସବାସ କରୁଛନ୍ତି। ୪ରୁ ୧୨ ବର୍ଷ ବୟସର ପ୍ରାୟ ୩୦ ଜଣ ଶିଶୁ ଅଛନ୍ତି। ହେଲେ ପିଲାଙ୍କ ପାଇଁ ଗାଁରେ କୌଣସି ବିଦ୍ୟାଳୟ ନାହିଁ। ପ୍ରାୟ ୩ କିଲୋମିଟର ଦୂର କୋନା ଗାଁରେ ଥିବା ବିଦ୍ୟାଳୟକୁ ଯିବାକୁ ପଡ଼ୁଛି। କିନ୍ତୁ ଟକିରିପଦରରୁ କୋନା ପର୍ଯ୍ୟନ୍ତ ଯିବା ପାଇଁ ଯାତାୟାତ ଯୋଗ୍ୟ ରାସ୍ତା ନଥିବାରୁ ଜଙ୍ଗଲ ଓ ପାହାଡ଼ ରାସ୍ତା ଦେଇ ଯିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଅଭିଭାବକମାନେ ଛୋଟ ପିଲାଙ୍କୁ ଏକାକୀ ବିଦ୍ୟାଳୟ ପଠାଇବାକୁ ରାଜି ନୁହନ୍ତି। ଫଳରେ ଅନେକ ପିଲା ପାଠପଢ଼ାରୁ ଦୂରେଇ ରହୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ନୁହେଁ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ସମସ୍ୟା ଗୁରୁତର। କୋନା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ଏହାପରେ ପଢ଼ିବା ପାଇଁ ପ୍ରାୟ ୮ କିଲୋମିଟର ଦୂର ଚାଟୁଆ କିମ୍ବା ପାଡୁଆ ଯିବାକୁ ପଡ଼ୁଛି। ଥିନବର ପଞ୍ଚାୟତରେ ହାଇସ୍କୁଲ ନଥିବାରୁ ଟକିରିପଦର ସମେତ କୋନା, ଘାଟିଗୁଡ଼ା, ମଦାଗୁଡ଼ା, ପଣସୁଆ, ହଲେଇ, ଥିନବର ଓ ଗିମଟିଗୁଡ଼ା ଗାଁର ଛାତ୍ରଛାତ୍ରୀଙ୍କୁ ଦୂର ଅଞ୍ଚଳକୁ ଯିବାକୁ ପଡ଼ୁଛି। ସେବାଶ୍ରମରେ ନାମଲେଖା ସୁଯୋଗ ମିଳୁଥିବା କେତେକ ପିଲା ହାଇସ୍କୁଲ ଶିକ୍ଷା ଜାରି ରଖିପାରୁଥିବା ବେଳେ ଅନ୍ୟ ଅନେକଙ୍କ ପାଇଁ ଏହା ସମ୍ଭବ ହେଉନାହିଁ। ବିଶେଷକରି ଝିଅମାନେ ଅଧାରୁ ପାଠ ଛାଡ଼ି ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଟକିରିପଦରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହାର ଭୌଗୋଳିକ ଅବସ୍ଥିତି। ନଦୀ ଦୁଇ ରାଜ୍ୟର ସୀମା ନିର୍ଦ୍ଧାରଣ କରୁଥିବା ବେଳେ ଓଡ଼ିଶା ପାର୍ଶ୍ୱରେ ଥିବା ଗାଁରେ ମୌଳିକ ସୁବିଧା ଅଭାବ ରହିଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷରେ ଆନ୍ଧ୍ର ପାର୍ଶ୍ୱରେ ଥିବା ଗାଁଗୁଡ଼ିକରେ ରାସ୍ତା, ଶିକ୍ଷା ଭଳି ସୁବିଧା ମିଳୁଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଟକିରିପଦର ଗ୍ରାମବାସୀ ଶେଷରେ କୋରାପୁଟ ଆସି ଜିଲ୍ଲାପାଳଙ୍କୁ ରାସ୍ତା ନିର୍ମାଣ ସହ ଗାଁରେ ବିଦ୍ୟାଳୟ ସ୍ଥାପନ ପାଇଁ ଦାବିପତ୍ର ଦେଇଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସୀମାନ୍ତ ଅଞ୍ଚଳର ଏହି ଗାଁରେ ରାସ୍ତା ଓ ଶିକ୍ଷା ଭଳି ମୌଳିକ ଅଧିକାର କେବେ ସୁନିଶ୍ଚିତ ହେବ ଏବେ ତାହା ଉପରେ ନଜର।