କାଠମାଣ୍ଡୁ, (ସତ୍ୟପାଠବ୍ୟୁରୋ): ନେପାଳରେ ଭୟଙ୍କର ବନ୍ୟା ଆସିଛି। ଏହି ବନ୍ୟାରେ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି । ରସୁୱା ଜିଲ୍ଲାର ତିମୁର ଏବଂ ସ୍ୟାଫ୍ରୁବେସିରେ ହଠାତ୍ ବନ୍ୟା ଆସି ତାଣ୍ଡବ ରଚିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଞ୍ଚଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନିର୍ଦ୍ଦେଶ ପରେ, ସେନା ପକ୍ଷରୁ ଫସି ରହିଥିବା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ହେଲିକପ୍ଟର ବ୍ୟବହାର କରି ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୦୦୦ ଲୋକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ୩୦୦ ଲୋକ ଏବେ ବି ଫସି ରହିଛନ୍ତି। ୩୦ ପୁଲିସ କର୍ମଚାରୀ ନିଖୋଜ ରହିଥିବା କୁହାଯାଉଛି।
ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବନ୍ୟାଜଳ ସୀମାର ତିବ୍ବତ ପାର୍ଶ୍ୱରୁ ଆସିବା ପରେ ନେପାଳରେ ପ୍ରବେଶ କରିଥିଲା। ଫଳରେ ପ୍ରଭାବିତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଅନେକ ଗାଁ ବନ୍ୟାଜଳରେ ଭାସିଯାଇଛି। ସୂଚନା ଅନୁଯାୟୀ, ପ୍ରାୟ ଏକ ଡଜନ ଗାଁ ଏହି ବନ୍ୟାରେ ଭାସିଯାଇଛି। ପ୍ରଭାବିତ ଅଞ୍ଚଳ ମଧ୍ୟରେ ସ୍ୟାଫ୍ରୁବେସୀ, ବେତ୍ରାବତୀ, ମୈଲୁଙ୍ଗ, ସଲ୍ଲେତାର, ଶାନ୍ତିବଜାର, ପୈରେବେସୀ, ଖଲତି ବସ୍ତି, ସୋଲେ, ତ୍ରିଶୂଳୀ ଏବଂ ବଟ୍ଟାର ସମେତ ଅନ୍ୟାନ୍ୟ ଅଞ୍ଚଳ ରହିଛି। ଏହି ଭୟଙ୍କର ବନ୍ୟା ପରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନେକ ଲୋକ ଏବେ ମଧ୍ୟ ନିଖୋଜ ଥିବା ଆଶଙ୍କା କରାଯାଉଛି। ତେବେ ମୃତକ, ଆହତ ଏବଂ ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସରକାରୀ ତଥ୍ୟ ଜାରି କରାଯାଇନାହିଁ।
