ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ବିପଦ ଆଣୁଛି ପ୍ୟାକେଟ ଖାଦ୍ୟ। ଏ ନେଇ ସାରା ଦେଶରେ ଚିନ୍ତା ବଢ଼ିଛି। ଦେଶରେ ଶିଶୁ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ମୋଟାପଣ ଏବଂ ପ୍ରୋସେସ୍ଡ ଫୁଡର ସେବନ ହାର ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି। ଏ ନେଇ ପ୍ୟାକେଟ୍ ଫୁଡ୍ ବା ସଂରକ୍ଷିତ ଖାଦ୍ୟପଦାର୍ଥ ପ୍ୟାକେଟର ସମ୍ମୁଖ ଭାଗରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚେତାବନୀ ବା ”ଫ୍ରଣ୍ଟ-ଅଫ୍-ପ୍ୟାକ୍ ୱାର୍ଣ୍ଣିଂ ଲେବୁଲ୍” ଲଗାଇବା ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ଆପୋଷ ବୁଝାମଣା କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିବା ସହ ବିକଶିତ ଦେଶଗୁଡ଼ିକରେ ପ୍ରଚଳିତ ଖାଦ୍ୟ-ଲେବୁଲିଂ ମାନଦଣ୍ଡ ଲାଗୁ କରିବାରେ କେନ୍ଦ୍ରର ଅନିଚ୍ଛା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଛନ୍ତି। ଯଦି ସରକାର ନିଜଆଡ଼ୁ କୌଣସି ପଦକ୍ଷେପ ନନିଅନ୍ତି, ତେବେ କୋର୍ଟ ନିଜେ ଏହା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରିବେ ବୋଲି ଚେତାବନୀ ଦେଇଛନ୍ତି। ଶୁଣାଣି ସମୟରେ, ଭାରତ ଆନ୍ତର୍ଜାତୀୟ ମାନଦଣ୍ଡ ସହ ତାଳ ଦେଇପାରିବ ନାହିଁ ବୋଲି କେନ୍ଦ୍ରର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଜଷ୍ଟିସ୍ ପାର୍ଡିୱାଲା ପ୍ରଶ୍ନ କରିଥିଲେ ଯେ, ଭାରତ ସଦାସର୍ବଦା ଏକ ଅବିକଶିତ ଦେଶ ହୋଇ ରହିବ କି? ”୩ଏସ୍ ଏଣ୍ଡ ଆଓ୍ୱାର ହେଲ୍ଥ ସୋସାଇଟି” ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ପ୍ୟାକେଟ୍ ଖାଦ୍ୟରେ ଶର୍କରା, ଲୁଣ ଏବଂ ସାଚୁରେଟେଡ୍ ଫ୍ୟାଟର ପରିମାଣ ସମ୍ପର୍କରେ ସ୍ପଷ୍ଟ ଚେତାବନୀ ଉଲ୍ଲେଖ କରିବାକୁ ଦାବି କରିଥିଲେ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ର ପଦକ୍ଷେପ ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଜୀବିକା ଓ ସ୍ୱାସ୍ଥ୍ୟର ଅଧିକାରକୁ ଖାଦ୍ୟ ନିରାପତ୍ତା ସହ ଯୋଡ଼ିଛନ୍ତି। ବର୍ତ୍ତମାନ ପ୍ରକାଶିତ ”ଅର୍ଥନୈତିକ ସର୍ଭେ ୨୦୨୫-୨୬” ରିପୋର୍ଟ ଅନୁଯାୟୀ, ଅସୁସ୍ଥକର ଆହାର ଏବଂ ଅତ୍ୟାଧିକ ପ୍ରୋସେସ୍ଡ ଫୁଡ୍ ଯୋଗୁଁ ଦେଶରେ ୨୪ ପ୍ରତିଶତ ମହିଳା ଓ ୨୩ ପ୍ରତିଶତ ପୁରୁଷ ମୋଟାପଣର ଶିକାର ହୋଇଛନ୍ତି। ୨୦୦୯ ରୁ ୨୦୨୩ ମଧ୍ୟରେ ଭାରତରେ ପ୍ରୋସେସ୍ଡ ଫୁଡ୍ ବଜାର ୧୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହା ମଧୁମେହ ଓ ହୃଦରୋଗ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ସଠିକ୍ ସୂଚନା ଦେଇ ସ୍ୱାସ୍ଥ୍ୟକର ଖାଦ୍ୟ ବାଛିବାର ସୁଯୋଗ ଦେବା ପାଇଁ ପ୍ୟାକେଟ୍ ସମ୍ମୁଖରେ ଚେତାବନୀ ଲେବୁଲ୍ ଲଗାଇବା ଅତ୍ୟନ୍ତ ଜରୁରୀ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।