ଭୁବନେଶ୍ବର,(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପାଖାପାଖି ୨୦ ଲକ୍ଷ ଗାଡ଼ିର ଆରସି ବାତିଲ ହୋଇଛି। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନୀତି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଟାଣି ନେଇଛି। ନୂଆ ନିୟମରେ ସାଧାରଣ ଲୋକ ଶୋଷଣର ଶିକାର ହେଉଛନ୍ତି। ଗାଡ଼ି ଉତ୍ପାଦନ କାରୀଙ୍କ କମ୍ପାନୀ ମାଲାମାଲ ହେବ ବୋଲି ଚର୍ଚ୍ଚା ହେଉଛି। ଗାଡ଼ି ପୃଥକୀକରଣ ବା ଭେଇକଲ କ୍ଲାସିଫିକେସନ ନୀତିରେ କାଗଜପତ୍ର ନବୀକରଣ ହୋଇ ନଥିବା ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଏହାରି ମଧ୍ୟରେ କେବଳ ଓଡ଼ିଶାରେ ୨୦ ଲକ୍ଷ ଗାଡ଼ି ସ୍ଥାୟୀ ଭାବେ ଆରସି ପଞ୍ଜୀକରଣର ସାର୍ଟିଫିକେଟ ବାତିଲ କରିଦିଆଯାଇଛି। ଫଳରେ ଗାଡ଼ି ରାସ୍ତାରେ ଚାଲିବା ପାଇଁ ଆଉ ବୈଧ୍ୟ ହେବ ନାହିଁ। ଏଭଳି ନିୟମ ଦ୍ବାରା ଆହୁରି ୩୦ ଲକ୍ଷ ଗାଡ଼ି ରାସ୍ତା ରୁ ହଟିଯିବ ବୋଲି କୁହାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗାଡ଼ିର ପଞ୍ଜୀକରଣ ସ୍ଥାୟୀ ଭାବେ ବାତିଲ ହେଉଥିଲେ ମଧ୍ୟ ଗାଡ଼ି ମାଲିକମାନେ ଏନେଇ କୌଣସି ପୂର୍ବ ସୂଚନା ପାଉନାହାନ୍ତି। ଯାଞ୍ଚ ସମୟରେ ଧରାପଡ଼ିଲେ ସେମାନେ ଜାଣିବାକୁ ପାଉଛନ୍ତି ଯେ ସେମାନଙ୍କ ଗାଡ଼ିର ଆରସି ନାହିଁ। ଏହାଦ୍ୱାରା ସାଧାରଣ ଲୋକେ ଜରିମାନା ଗଣିବା ସହ ନୂତନ ଗାଡ଼ି କିଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ, ରାଜ୍ୟର ଆଉ ୩୦ ଲକ୍ଷ ଗାଡ଼ି ଅସ୍ଥାୟୀ ଆରକାଇଭକୁ ଚାଲିଯାଇଛି। ଯଦି ମାଲିକମାନେ ଆଗାମୀ ବର୍ଷେ ଦୁଇବର୍ଷ ଭିତରେ କାଗଜପତ୍ର ନବୀକରଣ ନ କରନ୍ତି, ତେବେ ସେଗୁଡ଼ିକ ମଧ୍ୟ ସ୍ଥାୟୀ ଭାବେ ବାତିଲ ହୋଇଯିବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ଉଭୟ ଘରୋଇ ଏବଂ ବାଣିଜ୍ୟିକ ଗାଡ଼ି ମିଶାଇ ମୋଟ ସଂଖ୍ୟା ପ୍ରାୟ ୧ କୋଟି ୧୦ ଲକ୍ଷ। ମାତ୍ର ଏତେଗୁଡ଼ିଏ ଗାଡ଼ି ଭିତରୁ କେବଳ ୪୦ ଲକ୍ଷ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରହିଛି। ଅଧିକାଂଶ ଗାଡ଼ିରେ ବୀମା କିମ୍ବା ପ୍ରଦୂଷଣ ପ୍ରମାଣପତ୍ର ନାହିଁ। କେବଳ ୬୫ ଲକ୍ଷ ଗାଡ଼ିର ବୀମା ନଥିବା ଜଣାପଡ଼ିଛି। ବିଶେଷ କରି ୧୫ ବର୍ଷ ପୂରଣ ହେବା ପରେ ଅନେକ ଲୋକ ଗାଡ଼ିର ରେଜିଷ୍ଟ୍ରେସନ୍ ରିନ୍ୟୁ କରୁନାହାନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନିୟମ ଅଟେ। ‘ବାହାନ’ ଡାଟାବେସ୍ ଯାଞ୍ଚ କରି କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ତେଣୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ସମସ୍ତ ଗାଡ଼ି ମାଲିକମାନେ ତୁରନ୍ତ ନିଜ ନିଜ ଗାଡ଼ିର କାଗଜପତ୍ର ଠିକ୍ କରାଇନେବାକୁ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
[7:12 pm, 27/08/2026] Amruta: ଭୁବ