କାଠମାଣ୍ଡୁ, (ସତ୍ୟପାଠ ବ୍ୟୁରୋ): ନେପାଳ ବନ୍ୟା ବିଭୀଷିକାରେ ସବୁ କିଛି ଛାରଖାର ହୋଇଯାଇଛି। ମାଟି ତଳୁ ଖୋଜୁଛନ୍ତି ପରିଜନଙ୍କ ମୃତଦେହ। ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବାବେଳେ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଳ ପ୍ରଳୟ ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧୫ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି । ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ, ଗୁରୁବାର ରାତି ସୁଦ୍ଧା ୨୯୦ ଜଣ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ତ୍ରିଶୂଳୀ-୧ ପ୍ରକଳ୍ପର ୬୩ ଜଣ ଶ୍ରମିକ ଏବଂ ତାମିଲନାଡୁର ୨୧ ଜଣଙ୍କୁ ମିଶାଇ ମୋଟ ୮୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନେପାଳ-ଚୀନ୍ ସୀମାନ୍ତ ରସୁୱା ଜିଲ୍ଲାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ଆସି ଭୋଟକୋଶୀ ଓ ତ୍ରିଶୂଳୀ ନଦୀ ଅବବାହିକାରେ ଥିବା ଘରଦ୍ୱାର, ରାସ୍ତାଘାଟ, ପୋଲ ଏବଂ ସମସ୍ତ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧୂଳିସାତ୍ କରିଦେଇଥିଲା। ନେପାଳ ପର୍ଯ୍ୟଟନ ବୋର୍ଡର ଶେଷ ତଥ୍ୟ ଅନୁଯାୟୀ, ୧୭୮ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ମୋଟ ଉପରେ ନେପାଳରେ ୮୨୬ ଜଣ ଏବଂ ତିବ୍ଦତ ଅଞ୍ଚଳରେ ୫୫୮ ଜଣ ନିଖୋଜ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ନିଖୋଜ ବିଦେଶୀ ନାଗରିକଙ୍କ ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଏବଂ ଆମେରିକାର ପର୍ଯ୍ୟଟକମାନେ ସାମିଲ ଅଛନ୍ତି ।
