ମାଲକାନଗିରି,(ସତ୍ୟପାଠବ୍ୟୁରୋ): ଦିନେ ଯେଉଁଠି ମାଓବାଦୀଙ୍କ ନାଲିଆଖିର ଶାସନ ଚାଲୁଥିଲା, ସେଠି ଆଜି ଆଉ ବନ୍ଧୁକର ଗର୍ଜନ ନାହିଁ କି ମାଓବାଦୀ ଭୟ ବି ନାହିଁ। ତଥାପି ଗାଁକୁ ପହଞ୍ଚି ପାରୁନି ବିକାଶ। ପୋଲିସ ପ୍ରଶାସନର ନିରନ୍ତର ପ୍ରୟାସ ଓ ସୁରକ୍ଷା ବାହିନୀର ଅଭିଯାନ ଫଳରେ ମାଲକାନଗିରିର ଅନେକ ଅଞ୍ଚଳ ମାଓମୁକ୍ତ ହୋଇଛି। ଅନେକ ଗାଁ ବିକାଶର ମୁଖ୍ୟସ୍ରୋତକୁ ଫେରିଛି। ହେଲେ ଆଜି ବି ଏମିତି କିଛି ଗାଁ ରହିଛି, ଯେଉଁଠି ମାଓବାଦୀର ଛାୟା ହଟିଛି ସତ କିନ୍ତୁ ପହଞ୍ଚି ପାରିନି ବିକାଶ। ଏ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରପାଲି ପଞ୍ଚାୟତ ଅଧୀନ ଚିଙ୍ଗିଡ଼ିକୁଣ୍ଡ ଗାଁ। ପ୍ରାୟ ୧୨ଟି ଆଦିବାସୀ ପରିବାରର ୭୦ରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି। ମାଓବାଦୀଙ୍କ ଦବଦବା ସମୟରେ ଭୟ ଓ ଆତଙ୍କରେ ଦିନ କାଟୁଥିବା ଏହି ଲୋକେ ଆଜି ମାଓମୁକ୍ତ ପରିବେଶରେ ନିଶ୍ୱାସ ନେଉଛନ୍ତି। ହେଲେ ମୌଳିକ ସୁବିଧା ଅଭାବ ସେମାନଙ୍କ ଜୀବନକୁ ଏବେ ବି କଷ୍ଟକର କରିଛି। ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୋକ ପହଞ୍ଚିନି। ସ୍ୱଚ୍ଛ ପାନୀୟଜଳର ସୁବିଧା ନାହିଁ। ସୋଲାର ଜଳ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହା ଖରା ଦିନରେ ଠିକ ଭାବେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଅଧିକାଂଶ ଦିନ ଅକାମି ଯୋଗୁଁ ଚୁଆ ପାଣି ହିଁ ଏମାନଙ୍କ ଭରସା ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ଲୋକଙ୍କୁ ଆବାସ ଯୋଜନା ମଧ୍ୟ ସଠିକ ଭାବେ ମିଳି ନଥିବା ବେଳେ ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନି। ରାସ୍ତା ଖୋଲିଛି, ମାଓ ଭୟ ଦୂର ହୋଇଛି, କିନ୍ତୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଓ ଆବାସ ଭଳି ମୌଳିକ ସୁବିଧା ଏବେ ବି ଦୂରରେ। ଚିଙ୍ଗିଡ଼ିକୁଣ୍ଡବାସୀଙ୍କ କହିବା କଥା, ଦାବି ପରେ ପ୍ରତିଶ୍ରୁତି ମିଳୁଛି, ହେଲେ ବାସ୍ତବ ବିକାଶର ଅପେକ୍ଷା ଏବେ ବି ଶେଷ ହୋଇନାହିଁ। ମାଓମୁକ୍ତ ହେବା ପରେ ଯେଉଁ ଗାଁ ବିକାଶର ସ୍ୱପ୍ନ ଦେଖିଥିଲା, ସେହି ସ୍ୱପ୍ନ କେବେ ବାସ୍ତବ ରୂପ ନେବ, ତାହାକୁ ଅପେକ୍ଷା କରିଛନ୍ତି ଚିଙ୍ଗିଡ଼ିକୁଣ୍ଡର ଆଦିବାସୀ ପରିବାର। ତେବେ ଏନେଇ ଆମେ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିବା ବେଳେ କୌଣସି ପ୍ରତିକ୍ରିୟା ମିଳି ପାରିନି। ମାଓ ଗଡରୁ ମୁକ୍ତି ପରେ ଏବେ ସମସ୍ୟା ଗଡରୁ କେବେ ମୁକ୍ତି ମିଳିବ ସେନେଇ ଏଠାକାର ଲୋକେ ଅପେକ୍ଷା କରିଥିବା ବେଳେ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
