ଦୁର୍ଦ୍ଦିନରେ ପାକିସ୍ତାନ କ୍ରିକେଟ୍ ବୋର୍ଡ, ଫିଲ୍ଡିଂ କୋଚ୍ ନିଯୁକ୍ତି ପାଇଁ ଲିଙ୍କଡଇନ୍ରେ ବିଜ୍ଞାପନ September 1, 2026 | 10:39 PMSatya Pathaଜାତୀୟଦେଶ ବିଦେଶବଡ ଖବରମୁଖ୍ୟ ଖବର ଇସଲାମାବାଦ(ସତ୍ୟପାଠବ୍ୟୁରୋ): କୋଚ୍ଙ୍କ ପାଇଁ ଲିଙ୍କଡଇନ୍ରେ ବିଜ୍ଞାପନ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କୋଚ୍ଙ୍କ ପାଇଁ ଶେଷରେ ଲିଙ୍କଡଇନ୍ରେ ବିଜ୍ଞାପନ ଦେଲା ପିସିବି । ପାକିସ୍ତାନ କ୍ରିକେଟ୍ ଟିମ୍ର ଫିଲ୍ଡିଂକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବା ବେଳେ ଏବେ ନୂଆ ଫିଲ୍ଡିଂ କୋଚ୍ ଖୋଜା ଆରମ୍ଭ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏଥିପାଇଁ ପିସିବି ପକ୍ଷରୁ LinkedInରେ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରାଯାଇଛି । କ୍ରିକେଟ୍ ବୋର୍ଡ ଭଳି ଏକ ସଂସ୍ଥା ପକ୍ଷରୁ LinkedInରେ କୋଚ୍ ପଦ ପାଇଁ ସିଧାସଳଖ ବିଜ୍ଞପ୍ତି ଦେବା ଘଟଣା ବିରଳ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଷ୍ଟ୍ରେଲିଆର ଶେନ୍ ମ୍ୟାକଡର୍ମଟ୍ ଫିଲ୍ଡିଂ କୋଚ୍ ପଦରୁ ଇସ୍ତଫା ଦେବା ପରଠାରୁ ଏହି ପଦ ଖାଲି ରହିଛି । ତେବେ ସେ କାହିଁକି ପାକିସ୍ତାନ ଟିମ୍ରୁ ଅଲଗା ହେଲେ, ସେନେଇ ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କାରଣ ଦିଆଯାଇନଥିବା ବେଳେ ପିସିବି ମଧ୍ୟ ଏନେଇ ବିସ୍ତୃତ ସୂଚନା ଦେଇନାହିଁ । ପାକିସ୍ତାନ ଟିମ୍ର ଫିଲ୍ଡିଂ ଦୁର୍ବଳତା କ୍ରିକେଟ୍ ମହଲରେ ନୂଆ କଥା ନୁହେଁ । ବଡ଼ ଟୁର୍ଣ୍ଣାମେଣ୍ଟରେ ଫିଲ୍ଡିଂର ଛୋଟ ଛୋଟ ଭୁଲ୍ ଅନେକଥର ଦଳ ପାଇଁ ମହଙ୍ଗା ପଡ଼ିଛି । ୨୦୨୧ ଟି–୨୦ ବିଶ୍ୱକପ୍ର ସେମିଫାଇନାଲ୍ ଏହାର ଏକ ବଡ଼ ଉଦାହରଣ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ମ୍ୟାଥ୍ୟୁ ୱେଡ୍ଙ୍କ କ୍ୟାଚ୍ ହସନ୍ ଅଲିଙ୍କ ହାତରୁ ଖସିଯାଇଥିଲା । ଏହା ପରେ ୱେଡ୍ ଲଗାତାର ତିନୋଟି ଛକା ମାରି ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତାଇଥିଲେ । ଏହି ଘଟଣା ପାକିସ୍ତାନର ଫିଲ୍ଡିଂ ନେଇ ଆଲୋଚନାକୁ ଆହୁରି ତୀବ୍ର କରିଥିଲା । ପିସିବିର ବିଜ୍ଞପ୍ତି ଅନୁସାରେ ଏହି ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କର ଅତିକମ୍ରେ ୫ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ । ଜାତୀୟ ଦଳ, କୌଣସି ଫ୍ରାଞ୍ଚାଇଜ୍ ଟିମ୍ କିମ୍ବା ଅନ୍ତର୍ଜାତୀୟ ଖେଳାଳିଙ୍କ ସହ କାମ କରିଥିବା ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯିବ । ଏହା ସହ ପ୍ରାର୍ଥୀଙ୍କ ପାଖରେ ଲେଭଲ୍–୨ କ୍ରିକେଟ୍ କୋଚିଂ ସାର୍ଟିଫିକେଟ୍ ରହିବା ମଧ୍ୟ ଜରୁରୀ । ଏହି ପଦ ପାଇଁ ଆବେଦନର ଶେଷ ତାରିଖ ୯ ସେପ୍ଟେମ୍ବର ରହିଛି ।
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ମହାନଦୀ ଜଳ ବିବାଦ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା September 1, 2026 | 9:40 AM