ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ଖାଦ୍ୟ ନାଁରେ ବିକ୍ରି ହେଉଛି ଜହର। କି ଛୋଟ କି ବଡ଼ ହୋଟେଲ, ସବୁ ସମାନ। ରାଜ୍ୟ ସାରା ହୋଟେଲ, ରେସ୍ତରାଁରେ ବିଷାକ୍ତ ଖାଦ୍ୟ ବିକ୍ରି ହେଉଛି। ପିଲାଙ୍କ ସ୍ବାସ୍ଥ୍ୟ ସହ ଖୁଲମଖୁଲା ଚାଲିଛି ଖେଳ। ନାଁକୁ ମାତ୍ର ବଡ଼ ହୋଟେଲ, ଉପର ଚିକ୍କଣ ହେଲେ ଥାଳିରେ ପରଷା ଯାଉଛି ଅଖାଦ୍ୟ। ଏମିତି ଏକାଧିକ ନାମୀଦାମୀ ‘ଫ୍ରୋଜେନ୍‌ ଫୁଡ୍‌’ରେ ଛାପା ମାରିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଏକ ଦୋକାନରୁ ବାସି ମାଂସ ଜବତ ହୋଇଛି । କଟକରେ ମୋମୋ କାରଖାନା ସିଲ୍‌ ହୋଇଛି । ରାଜ୍ୟବ୍ୟାପି ଜୋରଦାର ଚଢ଼ଉ କରାଯିବା ସହ ୩ ଲକ୍ଷରୁ ଅଧିକ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଡ଼ ଧରଣର ଚଢ଼ଉ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ନେତୃତ୍ୱରେ ମୋଟ୍‌ ୩ଟି ଟିମ୍‌ ଚଢ଼ଉରେ ସାମିଲ ହୋଇଥିଲେ । ଜୟଦେବବିହାର ଅଞ୍ଚଳରେ ଥିବା ଏକ ଖାଦ୍ୟ ପ୍ରତିଷ୍ଠାନରେ ଫ୍ରିଜ୍‌ ଖୋଲିବା ପରେ ବାହାରିଥିଲା ପ୍ରାୟ ୬ କେଜି ବାସି ଚିକେନ୍‌ । ଆଉ ଗୋଟିଏ ବ୍ରାଣ୍ଡେଡ୍‌ ଷ୍ଟୋରରେ ବାସି ପିଜା, ବର୍ଗର କିଙ୍ଗ୍‌, ୱାଓ ମୋମା ମିଳିଥିଲା । ସେସବୁ ନଷ୍ଟ କରିବା ସହ ନିୟମ ଭାଙ୍ଗିଥିବା ଆଉଟଲେଟକୁ କଡ଼ା ଚେତାବନୀ ଦିଆଯାଇଛି । ଜାଗମରା, ଫାୟାର ଷ୍ଟେସନ, କଳିଙ୍ଗନଗର ଆଦି ଅଞ୍ଚଳରେ ଥିବା ଏକାଧିକ ମିଠା ଦେକାନରେ ମଧ୍ୟ ଚଢ଼ଉ କରାଯାଇଛି ।
କଟକ ମହାନଗର ନିଗମ ପକ୍ଷରୁ ଏକ ମୋମୋ ପ୍ରସ୍ତୁତକାରୀ ୟୁନିଟ୍‌ ଉପରେ ଚଢ଼ଉ ହୋଇଥିଲା । ଏଠାରେ ଅପମିଶ୍ରିତ ଖାଦ୍ୟରେ ମୋମୋ ପ୍ରସ୍ତୁତ କରାଯାଇଥିବାରୁ ସିଲ ହୋଇଛି । ଏହା ସହ ୩୬ଟି ରେଷ୍ଟ୍ରୁରାଣ୍ଟରେ ମଧ୍ୟ ଚଢ଼ଉ କରାଯାଇ ଫାଇନ୍‌ ଆଦାୟ କରାଯାଇଛି । ଢେଙ୍କାନାଳ ସହରର ମୁଖ୍ୟ ଚିକିତ୍ସାଳୟ ଆଖପାଖ, ମହାବୀର ବଜାର, ମୀନାବଜାର ଏବଂ ଦକ୍ଷିଣକାଳୀ ଅଞ୍ଚଳର ଏକାଧିକ ହୋଟେଲ୍‌ରେ ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ବାସି ଓ ଅବଧି ସରିଥିବା ପ୍ୟାକେଟ୍‌ ଖାଦ୍ୟ । ସେଠାରୁ ମୋଟ୍‌ ୨ ଲକ୍ଷ ୧୦ ହଜାର ଟଙ୍କା ଫାଇନ୍‌ ଆଦାୟ ହୋଇଛି । ଏହା ସହ ୨୭ଟି ଦୋକାନରୁ ଖାଦ୍ୟ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।
​​​​​​​
ଭଦ୍ରକରେ ବି ପ୍ରାୟ ୨୫ଟି ହୋଟେଲ୍‌, ମିଠା ଦୋକାନ, ପିଜା ହବ୍‌ ଓ ଜଳଖିଆ ଦୋକାନରେ ଚଢ଼ଉ କରିଥିଲା ଖାଦ୍ୟ ସୁରକ୍ଷା ବିଭାଗ । ବାସି ଖାଦ୍ୟ, ବାସି ମିଠା ସବୁ ନଷ୍ଟ କରାଯାଇଛି । ଅନୁଗୋଳରେ ୧୪ଟି ହୋଟେଲରେ ଚଢ଼ଉ କରାଯିବା ସହ ୧୮ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଛି । ସେହିଭଳି ବାଲେଶ୍ୱର ସହରର ୧୦ରୁ ଅଧିକ ଦୋକାନରେ ଚଢ଼ଉ କରାଯାଇ ବାସି ଖାଦ୍ୟ ଜବତ କରାଯିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଗଞ୍ଜାମରେ ୧୦ଟି ଦୋକାନରେ ଚଢ଼ଉ କରାଯିବା ସହ ୪୫ କେଜି ବାସୀ ଖାଦ୍ୟ ଜବତ ହୋଇଛି । ଏହା ସହ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ରାଜ୍ୟସାରା ଖାଦ୍ୟ ନାଁରେ ବିଷ ବିକ୍ରି ଚାଲିଛି । ଖାଲି ରାସ୍ତା କଡ଼ ଦୋକାନ ନୁହେଁ, ସପିଂ ମଲ, ନାମୀଦାମୀ ରେସ୍ତୋରାଁରେ ଏମିତି ବିଷ ଖାଦ୍ୟ ବିକ୍ରି ଚାଲଛି । ଖାଦ୍ୟ ସୁରକ୍ଷା ବିଭାଗ କମିଶନର ପୋମା ଟୁଡୁ କହିଛନ୍ତି ଯେ, ଆଗକୁ ଆହୁରି ଜୋରଦାର ଚଢ଼ଉ କରାଯିବ । ସବୁ ଜିଲ୍ଲାରେ ଥିବା ବଡ ଖାଦ୍ୟ ଦୋକାନରେ ଚଢ଼ଉ ନିର୍ଦ୍ଦେଶ ଦିଆଯାଇଛି ।