ରାଉରକେଲା, (ସତ୍ୟପାଠବ୍ୟୁରୋ): ଜାଲ୍‌ ସଂସ୍ଥା ଖୋଲି ୧୭ କୋଟିରୁ ଅଧିକ ଜିଏସଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଚାକିରି ଦେବାକୁ କହି ଆଶାୟୀଙ୍କ କାଗଜପତ୍ର ନେଇ ସେମାନଙ୍କ ନାଁରେ ଜାଲ ସଂସ୍ଥା ଖୋଲି ଜିଏସଟି ଠକୁଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ପୀଡ଼ିତ। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଉରକେଲା ଚାନ୍ଦିପୋଷ ପୋଲିସ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଚାକିରି ଦେବାକୁ କହି ଡାକିଲେ। ମୋଟା ଅଙ୍କର ଦରମା ଲୋଭ ଦେଖାଇ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ନେଇଗଲେ। ହେଲେ ଚାକିରି ତ ଦେଲେନି, ଓଲଟା ସେମାନଙ୍କ ଆଧାର, ପ୍ୟାନ୍‌, ଏସ୍‌ବିଆଇ ପାସ୍‌ବୁକ୍‌ ଓ ଶିକ୍ଷାଗତ ପ୍ରମାଣପତ୍ରକୁ ବ୍ୟବହାର କରି ଏକାଧିକ ଜାଲ୍‌ ସଂସ୍ଥା ଖୋଲି ଜିଏସଟି ଠକି ଚାଲିଲେ। ଏହିପରି ପ୍ରାୟ ୧୭ କୋଟିରୁ ଅଧିକ ଟଙ୍କା ଜିଏସଟି ଠକେଇ ହୋଇଥିବା ଜଣାପଡ଼ିଛି। ଏଭଳି ଠକେଇର ଶିକାର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୁସାବିରା ଗ୍ରାମର ଜ୍ୟୋତିପ୍ରକାଶ ଓରାମ। ତାଙ୍କ ନାଁରେ ଜିଏସଟି ପୋର୍ଟାଲରେ ୨୨ ଲକ୍ଷ ୫୦ ହଜାର ୮୭୦ ଟଙ୍କା ଠକେଇ ହୋଇଛି। କେବଳ ସେ ନୁହେଁ, ବେଦବ୍ୟାସ ଗୋପପାଲି ଓ ରାଉରକେଲା ଗଙ୍ଗାଧରପାଲିର ଦୁଇ ଯୁବକଙ୍କ ନାଁରେ ମଧ୍ୟ ପାଖାପାଖି ୧୬ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି। ଏ ନେଇ ଜ୍ୟୋତିପ୍ରକାଶ ଥାନାର ଦ୍ବାରସ୍ଥ ହୋଇଥିଲେ। ରାଜଗାଙ୍ଗପୁର କାଂଶବାହାଲ ମନ୍ଦିରାଡ୍ୟାମ ଲାଇଙ୍ଗ କଲୋନିର ଦିକାନ୍ତ ଏକ୍କା ତାଙ୍କ ନାଁରେ ନକଲି ସଂସ୍ଥା ଖୋଲି ଜିଏସଟି ଠକିଥିବା ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କୋର୍ଟ ନିର୍ଦ୍ଦେଶ ପରେ ଚାନ୍ଦିପୋଷ ପୋଲିସ ଦିକାନ୍ତ ଏକ୍କାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କେବଳ ଜ୍ୟୋତିପ୍ରକାଶଙ୍କ ନାଁରେ ନୁହେଁ, ତାଙ୍କ ସାଙ୍ଗମାନଙ୍କ ନାଁରେ ମଧ୍ୟ କୋଟି କୋଟି ଟଙ୍କା ଠକେଇ କରାଯାଇଛି। ପୋଲିସ ଖୋଳତାଡ଼ କଲେ ଜିଏସ୍‌ଟି ଠକେଇର ଗୁମର ପଦାକୁ ଆସିବ ବୋଲି କୁହାଯାଉଛି।