କାଠମାଣ୍ଡୁ, (ସତ୍ୟପାଠବ୍ୟୁରୋ) : ନେପାଳରେ ପହଞ୍ଚିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍୍। ସେ ପହଞ୍ଚୁ ପହଞ୍ଚୁ କାମ ଆରମ୍ଭ କରି ଦେଇଥିବାବେଳେ ଖୁବଶୀଘ୍ର ନେପାଳ ସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି। କରୋନା ମହାମାରୀ ଏବଂ ଲକଡାଉନ୍ କାଳରେ ଶ୍ରମିକମାନେ ନିଜ ନିଜ ଘରକୁ ଯିବା ପାଇଁ କେତେ ହନ୍ତସନ୍ତ ହେଉଥିଲେ, ସେତେବେଳେ ସେ ଗ୍ଲାମର୍ ଦୁନିଆ ଛାଡ଼ି ଶ୍ରମିକଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ। ଯାହାଙ୍କୁ ପୂରା ଦେଶ ‘ଶ୍ରମିକଙ୍କ ଭଗବାନ’ବୋଲି ଡାକିଥିଲା । ସୋନୁ କେବଳ ଜଣେ ଲୋକପ୍ରିୟ ଅଭିନେତା ନୁହଁନ୍ତି ବରଂ ସେ ଜଣେ ମାନବତାବାଦୀ ବ୍ୟକ୍ତିତ୍ୱ । ତେବେ ବର୍ତ୍ତମାନ ସେ ପଡ଼ୋଶୀ ଦେଶ ନେପାଳରେ ଆସିଥିବା ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ନେପାଳରେ ଘଟିଥିବା ଏହି ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ବାସହରା ହୋଇପଡ଼ିଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ବେସାହାରା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ନିଜର ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ’ର ଟିମ୍ ସହିତ ସିଧାସଳଖ କାଠମାଣ୍ଡୁ ଏବଂ ବିପର୍ଯ୍ୟସ୍ତ ଅଞ୍ଚଳରେ ପହଞ୍ଚିଛନ୍ତି। ତାଙ୍କର ଏହି ମହତ୍ ପଦକ୍ଷେପ ସଙ୍କଟରେ ପଡ଼ିଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ବାସନା ଆଣିଦେଇଛି। ନେପାଳର ପ୍ରାକୃତିକ ବିପର୍ଯ୍ୟୟରେ ଶହ ଶହ ନିରୀହ ଜୀବନ ଚାଲିଯାଇଥିବା ବେଳେ ବହୁସଂଖ୍ୟକ ଲୋକ ନିଖୋଜ ରହିଛନ୍ତି। ଅଞ୍ଚଳର କରୁଣ ଦୃଶ୍ୟ ଦେଖି ସୋନୁ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ପ୍ରଭାବିତ ସ୍ଥାନଗୁଡ଼ିକରେ ବୁଲି କ୍ଷୟକ୍ଷତିର ଆକଳନ କରିବା ସହ ସେଠାକାର ବାସିନ୍ଦାଙ୍କ ଦୁଃଖରେ ସାମିଲ ହୋଇଥିଲେ। ଲୋକଙ୍କ ଉଜୁଡ଼ି ଯାଇଥିବା ଘରଦ୍ୱାର ଏବଂ ଦୟନୀୟ ଅବସ୍ଥା ଦେଖିବା ପରେ ସେ ସେମାନଙ୍କୁ ସାନ୍ତ୍ୱନା ଦେବା ସହିତ ଭାବୁକ ହୋଇ କହିଥିଲେ ଯେ ଏହି କଠିନ ସମୟରେ ସେମାନେ ଏକା ନୁହଁନ୍ତି। ନେପାଳବାସୀଙ୍କ ପାଇଁ ସେ ଖାଦ୍ୟସାମଗ୍ରୀ,ରାସନ,ମେଡିସିନ୍ ଏବଂ କମ୍ବଳ ଆଦି ଜରୁରୀ ଜିନିଷପତ୍ର ମଧ୍ୟ ଆଣିଥିଲେ ଏବଂ ନିଜ ହାତରେ ସମସ୍ତଙ୍କୁ ଏହି ସାମଗ୍ରୀ ବାଣ୍ଟିଥିଲେ। ସେ କହିଛନ୍ତି ଯେ ଯେଉଁମାନେ ଏହି ଭୟଙ୍କର ବିପତ୍ତିରୁ ବଞ୍ଚିଯାଇଛନ୍ତି, ସେମାନଙ୍କର ଥଇଥାନ ଏବଂ ନୂତନ ଭାବେ ଘରଦ୍ୱାର ତିଆରି କରିବା ପାଇଁ ସମସ୍ତଙ୍କ ମିଳିତ ସହଯୋଗ ଏକାନ୍ତ ଆବଶ୍ୟକ।
