ନବରଙ୍ଗପୁର, (ସତ୍ୟପାଠବ୍ୟୁରୋ): ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗାଉଁଟିଆଗୁଡାର ଅବସରପ୍ରାପ୍ତ ଶିକ୍ଷକ ଲଚମନ ଠାକୁରଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ୍, ମୋବାଇଲ୍ ଏବଂ ଡକାୟତିରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି । ଗତ ଜୁଲାଇ ୧୦ ତାରିଖ ବିଳମ୍ବିତ ରାତିରେ ଅବସରପ୍ରାପ୍ତ ଶିକ୍ଷକ ଲଚମନ ଠାକୁରଙ୍କ ଘରେ ୫ରୁ ୬ ଜଣ ଡକାୟତ ପଶି ଅଲମାରି ଭାଙ୍ଗି ନଗଦ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଝରିଗାଁ ଆଇଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଛାନଭିନ କରି ୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୫୫ହଜାର ଟଙ୍କା, ଗୋଟିଏ ମୋଟରସାଇକେଲ୍, ୩ଟି ମୋବାଇଲ୍ ଫୋନ୍ ଓ ଡକାୟତିରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି। ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗରେ ଆଉ ୩ ରୁ ୪ ଜଣ ସଦସ୍ୟ ସାମିଲ ଅଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ ବାକି ଲୁଟ୍ ହୋଇଥିବା ସୁନା ଗହଣା ଓ ଟଙ୍କା ଉଦ୍ଧାର କରାଯିବ ବୋଲି ଏସଡିପିଓ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି।