ମାଲକାନଗିରି, (ସତ୍ୟପାଠବ୍ୟୁରୋ): ଯେଉଁଠି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ସବୁ ପଛରେ ରହିଯାଇଛି, ହେଲେ ପଙ୍କରେ ପଦ୍ମ ଫୁଟିବା ଭଳି ଏଠାକାର ଆଦିବାସୀ ପିଲାମାନେ ମାର୍ଶାଲ ଆର୍ଟ ଓ ଯୁଡୋରେ ସ୍ବର୍ଣ୍ଣପଦକ ହାସଲ କରଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ନିଜ ଅଞ୍ଚଳର ନାଁ ଗୌରବାନ୍ବିତ କରିଛନ୍ତି। ହେଲେ ଏସବୁ ସମ୍ଭବ ହୋଇପାରିଛି ମାଲକାନଗିରି ଜିଲ୍ଲାର ଯୁଡୋ ମାଷ୍ଟର ବିନାଶ ମିଶ୍ରଙ୍କ ଉଦ୍ୟମରେ। ଯିଏ ନିଜ ଜୀବନର ସମସ୍ତ ସୁଖ-ସ୍ୱପ୍ନକୁ ପଛରେ ପକାଇ ଗତ ଦୁଇ ଦଶନ୍ଧି ଧରି ଅନ୍ୟମାନଙ୍କ ଜୀବନ ଗଢ଼ିବାରେ ନିଜକୁ ସମର୍ପିତ କରିଛନ୍ତି। ଗତ ୨୦ ବର୍ଷ ଧରି ସେ ନିଜସ୍ୱ ଉଦ୍ୟମରେ ଗରିବ, ଅସହାୟ ଓ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ସହ ମାର୍ଶାଲ ଆର୍ଟ ଓ ଯୁଡୋ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ‘ଆଓମା ଗୁରୁକୁଳ’ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରି ବିନାଶ ମିଶ୍ର ପ୍ରାୟ ୭୦ରୁ ଅଧିକ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଜିଲ୍ଲାର ଦୁର୍ଗମ ବଣ୍ଡାଘାଟି ଓ ସ୍ୱାଭିମାନ ଅଞ୍ଚଳ ସମେତ ବିଭିନ୍ନ ଗ୍ରାମର ଅନାଥ, ବାପା-ମା’ ଛେଉଣ୍ଡ ଓ ଦରିଦ୍ର ପିଲାମାନଙ୍କୁ ନିଜ ପାଖରେ ରଖି ସେମାନଙ୍କ ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶର ବ୍ୟବସ୍ଥା କରିଛନ୍ତି। କେବଳ ଶିକ୍ଷା ନୁହେଁ, ଜଣେ ଦକ୍ଷ ଯୁଡୋ ଖେଳାଳି ଭାବେ ସେ ପିଲାମାନଙ୍କୁ ଯୁଡୋ ଓ ମାର୍ଶାଲ ଆର୍ଟରେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୬୦ରୁ ଅଧିକ ପଦକ ଜିତି ମାଲକାନଗିରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ସେଥିମଧ୍ୟରେ ୩୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ଦୁଇଟି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
