ପାଟନା, (ସତ୍ୟପାଠବ୍ୟୁରୋ): ଦେଶରେ ମୌସୁମୀ ସକ୍ରିୟ ହେବା ଦିନଠାରୁ ଉତ୍ତର-ମଧ୍ୟ ଭାରତରେ ତାଣ୍ଡବ ରଚୁଛି ପ୍ରକୃତି। ଏହାରି ମଧ୍ୟରେ ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ନେପାଳରେ ପ୍ରବଳ ବର୍ଷା ପରେ ଉପରମୁଣ୍ଡରୁ ପାଣି ଆସିବା ଯୋଗୁଁ ବିହାରର ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରାୟ ୧୬ ଲକ୍ଷ ୮୪ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ପାଟନାର ଗାନ୍ଧୀ ଘାଟରେ ଜଳସ୍ତର ୫୦.୫୭ ମିଟର ରେକର୍ଡ କରାଯାଇଛି, ଯାହା ୨୦୧୬ରେ ରେକର୍ଡ କରାଯାଇଥିବା ସର୍ବୋଚ୍ଚ ବନ୍ୟା ସ୍ତର ୫୦.୫୨ ମିଟର ଠାରୁ ପାଞ୍ଚ ସେଣ୍ଟିମିଟର ଅଧିକ।
ଅନ୍ୟପଟେ ଜଳ ସମ୍ପଦ ବିଭାଗର ଏକ ବୁଲେଟିନ ଅନୁଯାୟୀ ବିହାରର ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିରେ ଡୁମାରିଆଘାଟ ଏବଂ ହାଜିପୁରର ଗଣ୍ଡକ ନଦୀ, ବାଲତାରାର କୋସୀ ନଦୀ, ଖଗାରିଆର ବୁର୍ହି ଗଣ୍ଡକ ନଦୀ, ଦିଘାର ଗଙ୍ଗା ନଦୀ, ହାତିଦାହ, ଭାଗଲପୁର, କହଲଗାଓଁ, ବକ୍ସର ଏବଂ ମୁଙ୍ଗେର, ଶ୍ରୀପାଳପୁରର ପୁନପୁନ ନଦୀ ଏବଂ ଦାରୁଲିର ଘାଘରା ନଦୀ ଅନ୍ତର୍ଭୁକ୍ତ। ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ପାଟନା ଜିଲ୍ଲାରେ ପ୍ରାୟ ୨.୩୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ୩୮ଟି ରନ୍ଧନ କେନ୍ଦ୍ର ପରିଚାଳିତ ହେଉଛି। ଆଜି ସୁଦ୍ଧା ପ୍ରଭାବିତ ଲୋକଙ୍କ ମଧ୍ୟରେ ୧୨,୩୦୦ ପଲିଥିନ୍ ସିଟ୍ ଏବଂ ୨୨୫୦ ଶୁଖିଲା ରାସନ୍ ପ୍ୟାକେଟ ବଣ୍ଟନ କରାଯାଇଛି। ସେହିପରି ସ୍ଥାନାନ୍ତର ଏବଂ ପରିବହନ ପାଇଁ ୮୫୮ଟି ଡଙ୍ଗା ପରିଚାଳିତ ହେଉଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଶନିବାର ଭାଗଲପୁର ଏବଂ ନୌଗାଛିଆର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଏକ ଆକାଶ ମାର୍ଗରେ ପରିଦର୍ଶନ କରିବା ସହ ଅଧିକାରୀଙ୍କ ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରି ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଧିକାରୀମାନଙ୍କୁ ସମୟାନୁସାରେ ଆବଶ୍ୟକ ବ୍ୟବସ୍ଥା କରିବା, ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ ଯୋଗାଇବା ଏବଂ ତୁରନ୍ତ ଉଦ୍ଧାର ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଥାନୀୟ ସାଂସଦ ରବି ଶଙ୍କର ପ୍ରସାଦ ଗଙ୍ଗା ଏବଂ ପୁନପୁନ ଜଳ ଦ୍ୱାରା ପ୍ରଭାବିତ ଗ୍ରାମୀଣ ଅଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ସାକ୍ଷାତ କରିବା ସହ ସେମାନଙ୍କ ସମସ୍ୟା ଶୁଣି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ଅବହେଳା ନକରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
