ପାରଳାଖେମୁଣ୍ଡି, (ସତ୍ୟପାଠବ୍ୟୁରୋ) : ଘର ପରିବାର ଛାଡ଼ି ପେଟକୁ ୨ ମୁଠା ଦାନା ପାଇଁ ଦାଦନ ଖଟିବାକୁ ଯାଇଥିବାବେଳେ, ସେତକ ବି ଦଇବ ସହି ପାରିଲା ନାହିଁ। ଜୀବନକୁ ଜିଇଁବା ଆଗରୁ ମାତ୍ର ୧୯ ବର୍ଷ ବୟସରେ ଚିର ଦିନ ପାଇଁ ଶୋଇ ପଡ଼ିଲେ। ପୁଅର ହସ ହସ ମୁହଁ ଭୁଲି ପାରୁ ନଥିବାବେଳେ ମାଆ ଆଖିରୁ ଶୁଖୁନି ଲୁହ। ମାଆ କୋଳ ଶୂନ୍ୟ କରିଦେଇଛି ରାୟଗଡ଼ ବ୍ଲକ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ। ଦାଦନ ଖଟିବାକୁ ଯାଇଥିବା ଚନ୍ଦ୍ରଙ୍କ ମୃତ୍ୟୁ ହାଇଦ୍ରାବାଦରେ ହୋଇଥିବାବେଳେ ମୃତଦେହ ଆଜି ସକାଳେ ଗାଁରେ ଆସି ପହଞ୍ଚିଛି। ଚନ୍ଦ୍ରଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇପଡ଼ିଥିଲା। ପରିବାର ଲୋକଙ୍କ ଶୋକାକୁଳ କ୍ରନ୍ଦନରେ ଗାଁରେ ଏକ ହୃଦୟବିଦାରକ ପରିବେଶ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ଚନ୍ଦ୍ର ହାଇଦ୍ରାବାଦର ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ଗରିବ ପରିବାରର ହୋଇଥିବାରୁ ମୃତଦେହକୁ ଗାଁକୁ ଆଣିବା ନେଇ ପରିବାର ଆର୍ଥିକ ସଙ୍କଟରେ ପଡ଼ିଥିଲା। ସମ୍ପୃକ୍ତ କମ୍ପାନୀର ସହଯୋଗରେ ଶେଷରେ ମୃତଦେହ ଗାଁକୁ ଅଣାଯାଇଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀ ଶେଷ ଦର୍ଶନ କରିଥିଲେ। ପରେ ଶୋକାକୁଳ ପରିବେଶରେ ଚନ୍ଦ୍ରଙ୍କ ଶବଦାହ ସମ୍ପନ୍ନ ହୋଇଛି।
