ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ନୂଆଦିଲ୍ଲୀ ଅଭିମୁଖେ ମୁଖ୍ୟମନ୍ତ୍ରୀ। ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଆଜିଠୁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ୟୁଏଇର ବୃହତ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ୯ ତାରିଖରେ IHC, ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍ ଏବଂ ପେଟ୍ରୋକେମିକାଲ କମ୍ପାନୀର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିବେ।
ସେହିଦିନ ଦୁବାଇରେ ‘One District One Product’ ଅଧୀନରେ ଓଡ଼ିଶାର ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଉଦଘାଟନ କରିବେ। ୧୦ ତାରିଖରେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ସାକ୍ଷାତ କରିବେ। ଏହାସହ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ ଓ ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍ ର ନେତୃତ୍ୱଙ୍କ ସହ ଆଲୋଚନା କରିବେ। ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହ ରାଉଣ୍ଡ ଟେବୁଲ୍ ବୈଠକ ମଧ୍ୟ ହେବ। ୧୧ ତାରିଖରେ ଦୁବାଇରେ ହେବ ଓଡ଼ିଶା ଇନ୍ ଭେଷ୍ଟର୍ସ ମିଟ୍। ଦେଶ ଓ ବିଦେଶର ଉଦ୍ୟୋଗପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଥିବା ବ୍ୟାପକ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ। ଏହାସହ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତବିନିମୟ କରିବେ।