ରାଉରକେଲା: କୋଇଲା ଖଣିରୁ ବାହାରୁଥିବା ବର୍ଜ୍ୟ ଏବେ ରାସ୍ତା ନିର୍ମାଣରେ ଆସିବ କାମରେ। କୋଇଲା ଖଣି ଓ ଶିଳ୍ପ ବର୍ଜ୍ୟକୁ ବ୍ୟବହାର କରି ଅଧିକ ମଜବୁତ ରାସ୍ତା ନିର୍ମାଣ ପାଇଁ ଏକ ନୂଆ ଉପାଦାନ ବିକଶିତ କରିଛନ୍ତି NIT ରାଉରକେଲାର ଗବେଷକମାନେ। ଏହି ପ୍ରଯୁକ୍ତି ପାଇଁ ଗବେଷକ ଟିମ୍କୁ ପେଟେଣ୍ଟ ମଧ୍ୟ ମିଳିଛି।
କୋଇଲା ଖଣି ଅଞ୍ଚଳର ରାସ୍ତାରେ ପ୍ରତିଦିନ ଶହ ଶହ ଭାରୀ ଟ୍ରକ୍ ଓ ଅନ୍ୟ ଯାନ ଚଳାଚଳ କରେ। ଅଧିକ ଓଜନ ଏବଂ ଲଗାତାର ଯାତାୟାତ ଯୋଗୁ ଏହି ରାସ୍ତାଗୁଡ଼ିକ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ। ଫଳରେ ବାରମ୍ବାର ମରାମତିର ଆବଶ୍ୟକତା ପଡ଼େ। ଏହି ସମସ୍ୟାର ସମାଧାନ ସହିତ ଖଣି ଓ ଶିଳ୍ପ ବର୍ଜ୍ୟର ପରିଚାଳନା—ଦୁଇଟି ସମସ୍ୟାକୁ ଏକାସାଙ୍ଗରେ ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଗବେଷଣା କରାଯାଇଛି।
ଭାରତରେ ପ୍ରତିବର୍ଷ ପ୍ରାୟ ୧ ବିଲିୟନ ଟନ୍ କଞ୍ଚା କୋଇଲା ଉତ୍ତୋଳନ ହୋଇଥାଏ। ଏଥିରୁ ପ୍ରାୟ ୯୪ ପ୍ରତିଶତ କୋଇଲା ଭୂପୃଷ୍ଠ ଖଣିରୁ ଉତ୍ତୋଳନ କରାଯାଏ। ଏହି ପ୍ରକ୍ରିୟାରେ ବିପୁଳ ପରିମାଣର ବର୍ଜ୍ୟ ସୃଷ୍ଟି ହୁଏ। ଏଥିରେ କୋଇଲା ସହିତ ମିଶିଥିବା ପଥର ଓ ଅନ୍ୟାନ୍ୟ ଅଣ-କୋଇଲା ପଦାର୍ଥ ମଧ୍ୟ ରହିଥାଏ। ପାରମ୍ପରିକ ଭାବରେ ଏହି ବର୍ଜ୍ୟକୁ ଫିଙ୍ଗି ଦିଆଯିବା ଯୋଗୁ ପରିବେଶ ଉପରେ ଚାପ ସୃଷ୍ଟି ହୁଏ।
NIT ରାଉରକେଲାର ଗବେଷକମାନେ ଏହି ବର୍ଜ୍ୟରେ ଥିବା ସିଲିକା, ଆଲୁମିନା ଓ କ୍ଲେ ମିନେରାଲ୍ସର ଗୁଣକୁ ଅଧ୍ୟୟନ କରିଥିଲେ। ଏହି ପଦାର୍ଥଗୁଡ଼ିକରେ ଚାପ ସହିବା କ୍ଷମତା ଏବଂ ଦୃଢ଼ତା ରହିଥିବାରୁ ଏହାକୁ ନିର୍ମାଣ କାମରେ ବ୍ୟବହାର କରିବାର ସମ୍ଭାବନା ଖୋଜାଯାଇଥିଲା।
ଗବେଷକମାନେ କୋଇଲା ଖଣିର ବର୍ଜ୍ୟ, ଫ୍ଲାଏ ଆଶ୍ ଏବଂ ଏକ ବାଇଣ୍ଡରକୁ ମିଶାଇ ଏକ ନୂଆ କମ୍ପୋଜିଟ୍ ମ୍ୟାଟେରିଆଲ୍ ବିକଶିତ କରିଛନ୍ତି। ବିଭିନ୍ନ ମିଶ୍ରଣର ପରୀକ୍ଷଣ କରି ଏହାର ଶକ୍ତି ଓ କାର୍ଯ୍ୟକ୍ଷମତାକୁ ଅପ୍ଟିମାଇଜ୍ କରାଯାଇଛି।
NIT ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ପ୍ରଫେସର ମନୋଜ କୁମାର ମିଶ୍ର ଏବଂ ଗବେଷଣା ଛାତ୍ରୀ ଡ. ସୁଭାଶ୍ରିତା ଚୌଧୁରୀଙ୍କ ନେତୃତ୍ୱରେ ମାଇନିଂ ଇଞ୍ଜିନିୟରିଂ ବିଭାଗରେ ଏହି ଗବେଷଣା କରାଯାଇଛି। ଏହି ପ୍ରଯୁକ୍ତିକୁ ପେଟେଣ୍ଟ ନମ୍ବର ୫୯୭୭୪୯ ମିଳିଥିବାବେଳେ ଆବେଦନ ନମ୍ବର ହେଉଛି ୨୦୨୩୩୧୦୭୦୩୦୬।

ପ୍ରଫେସର ରାଓଙ୍କ କହିବା ଅନୁସାରେ, କୋଇଲା ଖଣି ଅଞ୍ଚଳରେ ଭାରୀ ଯାନ ଚଳାଚଳ ଯୋଗୁ ରାସ୍ତା ଉପରେ ବାରମ୍ବାର ଅତ୍ୟଧିକ ଚାପ ପଡ଼େ। ଏହା ରାସ୍ତାକୁ ଶୀଘ୍ର ନଷ୍ଟ କରିଦିଏ। ଏଭଳି ଅଞ୍ଚଳ ପାଇଁ ଏହି ନୂଆ ମ୍ୟାଟେରିଆଲ୍ ବିଶେଷ ଭାବେ ଉପଯୋଗୀ ହୋଇପାରେ।
ଅନ୍ୟପଟେ, ପ୍ରଫେସର ମନୋଜ କୁମାର ମିଶ୍ର ଏହାକୁ ‘ସର୍କୁଲାର ଇକୋନୋମି’ର ଏକ ଉଦାହରଣ ବୋଲି କହିଛନ୍ତି। ଅର୍ଥାତ୍ ଯେଉଁ ବର୍ଜ୍ୟ ପଦାର୍ଥ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରୁଛି, ତାହାକୁ ପୁଣି ଏକ ଉପଯୋଗୀ ସମ୍ପଦରେ ପରିଣତ କରିବା। ଏହା ଏକପଟେ ବର୍ଜ୍ୟ ପରିଚାଳନାର ସମସ୍ୟା କମାଇବା ସହ ଅନ୍ୟପଟେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣରେ ସହାୟକ ହୋଇପାରେ।
ତେବେ ଏବେ ଏହି ପ୍ରଯୁକ୍ତିକୁ ଲ୍ୟାବ୍ରୁ ବାହାର କରି ବାସ୍ତବ ରାସ୍ତାରେ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି ଗବେଷକମାନେ। ପାଇଲଟ୍ ସ୍କେଲ୍ ଫିଲ୍ଡ ଟ୍ରାଏଲ୍ ମାଧ୍ୟମରେ ଏହି ମ୍ୟାଟେରିଆଲ୍ର ଦୀର୍ଘକାଳୀନ ଶକ୍ତି, ସ୍ଥାୟୀତ୍ୱ ଏବଂ ବାସ୍ତବ ପରିସ୍ଥିତିରେ ପ୍ରଦର୍ଶନ ଯାଞ୍ଚ କରାଯିବ।
କୋଇଲା ବର୍ଜ୍ୟକୁ ସମସ୍ୟା ନୁହେଁ, ବରଂ ସମ୍ପଦରେ ପରିଣତ କରି ମଜବୁତ ଓ ସ୍ଥାୟୀ ରାସ୍ତା ନିର୍ମାଣର ଏହି ପ୍ରୟାସ ଓଡ଼ିଶା ସମେତ ଦେଶର ଖଣି ଅଞ୍ଚଳ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି।
