ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂଶୋଧିତ ଏମ୍‌ଏମ୍‌ଡିଆର୍ (MMDR) ଆଇନ ପ୍ରତ୍ୟାହାର ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ପ୍ରତିବାଦ କରାଯାଇଛି । ଲୋକଭବନ ସମ୍ମୁଖରେ ଆୟୋଜିତ ଏହି ଆନ୍ଦୋଳନ ସମୟରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାୱାର ହାଉସ୍ ଛକରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ପରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏମ୍‌ଏମ୍‌ଡିଆର୍ ଆଇନ ପ୍ରତ୍ୟାହାର ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ରାଜଧାନୀରେ ଆୟୋଜିତ ଏହି ପ୍ରତିବାଦରେ ବିଜେଡିର ଶତାଧିକ କର୍ମୀ, ବରିଷ୍ଠ ନେତା ଓ ବିଧାୟକମାନେ ସାମିଲ ହୋଇଥିଲେ । ଦଳ ପକ୍ଷରୁ ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନକୁ “କଳା ଆଇନ” ବୋଲି ଅଭିହିତ କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ବିଜେଡି ନେତାମାନେ କହିଛନ୍ତି ଯେ, ଏହି ଆଇନ ଆସବା ଫଳରେ ଓଡିଶା ବକେୟା ଭାବେ ଥିବା ଏକ ଲକ୍ଷ କୋଟିରୁ ଉର୍ଦ୍ଧ ରାଜସ୍ବ ଓ ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ବ ହରାଇବ। ଏହା ଜାଣିବା ସତ୍ତ୍ୱେ ଓଡିଶାରୁ ଯାଇଥିବା 20 ବିଜେପି MP ଚୁପ ରହିଲେ । ଓଲଟା ଏବେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ, ଏହି କଳା ଆଇନ ଓ ଖଣି କମ୍ପାନୀମାନଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି । ଏହାକୁ ଓଡିଶାବାସୀ କେବେ ବି କ୍ଷମା ଦେବେନି । ରାଜ୍ୟର ଖଣିଜ ସମ୍ପଦ ଓ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଏହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିଜେଡିର ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି କହିଛି। ସେପଟେ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଲୋକଭବନ ଆଡକୁ ଅଗ୍ରସର ହେବାକୁ ବିକ୍ଷୋଭକାରୀ ଉଦ୍ୟମ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହା ପରେ ପାୱାର ହାଉସ୍ ଛକରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ବିଜେଡିର ଏକ ପ୍ରତିନିଧି ଦଳକୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁମତି ମିଳିଥିଲା । ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏମ୍‌ଏମ୍‌ଡିଆର୍ ଆଇନକୁ ପୁନଃବିଚାର କରି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।