ଦୁବାଇ,(ସତ୍ୟପାଠବ୍ୟୁରୋ) : ଦୁବାଇରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ର ତୃତୀୟ ଦିନ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିବେଶକକୁ ଆକୃଷ୍ଟ କରିବାକୁ ଆଙ୍କିଲେ ନକ୍ସା। କହିଲେ, ଓଡ଼ିଶାରେ ନିବେଶ ପାଇଁ ରହିଛି ସମସ୍ତ ସୁବିଧା। ବିନା ଦ୍ବିଧାରେ ରାଜ୍ୟରେ ନିବେଶ କରିବାକୁ ଦେଲେ ଆହ୍ବାନ।
ରାଜ୍ୟକୁ ଆସିବ ବଡ଼ ପୁଞ୍ଜି, ବିଦେଶରେ ଡ଼େରା ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ। ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍– ୟୁଏଇ ୨୦୨୬ ମଞ୍ଚରୁ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତି ଓ ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତୃତୀୟ ଦିନରେ ଦୁବାଇରେ ରୋଡଶୋ ସହ ଇନଭେଷ୍ଟର ମିଟରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁବାଇର ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଏବଂ ବ୍ୟାବସାୟିକ ସମୁଦାୟର ପ୍ରତିନିଧି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ନିବେଶକଙ୍କ ସମ୍ମୁଖରେ ଓଡ଼ିଶାର ପ୍ରାକୃତିକ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଏବଂ ନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଓଡ଼ିଶାରେ ନିବେଶ ପାଇଁ ସୁବିଧା, ସୁଯୋଗ ଭରପୂର ରହିଛି। ରାଜ୍ୟରେ ରହିଛି ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜର ବିରାଟ ଭଣ୍ଡାର। ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ସହ ରାଜ୍ୟରେ ଅଛନ୍ତି କୁଶଳୀ କାରିଗର। ଏହାବାଦ୍ ରାଜ୍ୟରେ ଏଲ୍ଏନ୍ଜି ଷ୍ଟୋରେଜ୍, ଗ୍ରିନ୍ ଏନର୍ଜି, ଏଆଇ ଡାଟା ସେଣ୍ଟର, ରେୟାର୍ ଆର୍ଥ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ମଧ୍ୟ ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ହାଉସିଂ, ଷ୍ଟିଲ୍ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ନିବେଶକଙ୍କ ପାଇଁ ଓଡ଼ିଶାରେ ରହିଥିବା ସମ୍ଭାବନାକୁ ଉପସ୍ଥାପନ କରିଛନ୍ତି ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ସଚିବ।
ରୋଡଶୋ ଏବଂ ଇନ୍ଭେଷ୍ଟର୍ସ ମିଟ୍ ଜରିଆରେ ଓଡ଼ିଶା–ୟୁଏଇ ସମ୍ପର୍କରେ ଯୋଡି ହୋଇଛି ନୂଆ ଅଧ୍ୟାୟ। ଯାହାକି ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
