ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଯାଉଥିବା ‘ବ୍ରିକ୍ସ’ ଶିଖର ସମ୍ମିଳନୀ। ଏହାର ଉଦଘାଟନୀ ଦିବସରେ ଭାରତୀୟ ସଂସ୍କୃତିର ବିଭବ ଦେଖିବାକୁ ମିଳିବ । ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏକ ପ୍ରମୁଖ ଆକର୍ଷଣ ପାଲଟିବ । ଏହି ସ୍ୱତନ୍ତ୍ର ରାତ୍ରୀଭୋଜନ ଅବସରରେ ‘ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ’ ପରିବଷଣ କରାଯିବ । ଏଥିରେ ଭାରତର ଶାସ୍ତ୍ରୀୟ ନର୍ତ୍ତକ ଏବଂ ସଙ୍ଗୀତଜ୍ଞଙ୍କ ସମେତ ବ୍ରିକ୍ସର ଅନ୍ୟ ସଦସ୍ୟ ଦେଶର କଳାକାରମାନେ ମଧ୍ୟ ଅଂଶଗ୍ରହଣ କରିବେ । ସମୁଦାୟ ପ୍ରାୟ ୧୬୦ ଜଣ କଳାକାର ଏହି ବିଶ୍ୱସ୍ତରୀୟ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିବେ, ଯେଉଁଥିରେ ଭାରତୀୟ କଳାକାରମାନେ ମୁଖ୍ୟ ଭୂମିକାରେ ରହିବେ ।
ଭାରତୀୟ କଳାକାରମାନେ ଦେଶର ବିଭିନ୍ନ ପ୍ରାନ୍ତର ପ୍ରତିନିଧିତ୍ୱ କରି ଭରତନାଟ୍ୟମ, କୁଚିପୁଡ଼ି, ଓଡ଼ିଶୀ ଏବଂ କଥକ ଭଳି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ପରିବଷଣ କରିବେ । ଏହା ସହିତ ପାରମ୍ପରିକ ଭାରତୀୟ ବାଦ୍ୟଯନ୍ତ୍ରର ସ୍ୱର ଏବଂ ସାଙ୍ଗୀତିକ ପ୍ରସ୍ତୁତି ମଧ୍ୟ ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇବ । ପ୍ରାୟ ୨୦ ରୁ ୨୫ ମିନିଟ୍ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ନୃତ୍ୟ ସାଙ୍ଗକୁ ମନୋମୁଗ୍ଧକର ଗାୟନ ପ୍ରସ୍ତୁତି ମଧ୍ୟ ରହିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭାରତୀୟ କଳାକାରମାନେ ଗତ କିଛି ଦିନ ହେବ କ୍ରମାଗତ ରିହର୍ସଲ ଜାରି ରଖିଛନ୍ତି ।
