କୋରାପୁଟ(ସତ୍ୟପାଠବ୍ୟୁରୋ): ଶ୍ମଶାନକୁ ଯିବା ଲାଗି ରାସ୍ତାଟିଏ ନାହିଁ। ଫଳରେ ସମ୍ପର୍କୀୟଙ୍କୁ ମୃତଦେହ ଧରି ଭରା ନଦୀ ପାର ହେବାକୁ ପଡ଼ିଛି । ପୋଲ ନଥିବାରୁ ମୃତକଙ୍କୁ କାନ୍ଧରେ ବୋହି ବାସୁଖି ନଦୀ ପାର ହେଲେ ସମ୍ପର୍କୀୟ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଅନ୍ତର୍ଗତ ଦେବଶଣ୍ଡଗୁଡ଼ା ଗ୍ରାମରେ । ପୋଲ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲେ ବି କେବେ ହେବ ନିର୍ମାଣ, ଅପେକ୍ଷାରେ ଗ୍ରାମବାସୀ । ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ଉଛୁଳା ବାସୁଖି ନଦୀ । ଏହି ନଦୀ ଉପରେ ପୋଲ ନଥିବାରୁ ଜୀବିତ ଲୋକଙ୍କ ଯାତାୟାତ ଯେତିକି କଷ୍ଟକର, ମୃତ୍ୟୁ ପରେ ମଧ୍ୟ ମିଳୁନି ସହଜ ରାସ୍ତା ।
ସୂଚନା ଅନୁଯାୟୀ, ଦେବଶଣ୍ଡଗୁଡ଼ା ଗାଁର ବାସୁଖରା ନାମକ ଜଣେ ବ୍ୟକ୍ତି ନିଜ ଝିଅ ଘର ପଟାଙ୍ଗି ଅଞ୍ଚଳର ତେଲରାଇ ଗ୍ରାମକୁ ଯାଇଥିଲେ । ସେଠାରେ ଶନିବାର ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ଶ୍ମଶାନ ଗାଁର ଆରପଟେ ଥିବାରୁ ମୃତଦେହକୁ ସେଠାକୁ ନେବା ପାଇଁ ବାଟରେ ଥିଲା ବାସୁଖି ନଦୀ । ଲଗାଣ ବର୍ଷା ଯୋଗୁଁ ନଦୀରେ ପାଣି ବଢ଼ିଥିବାବେଳେ ନଥିଲା କୌଣସି ପୋଲ । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ସମ୍ପର୍କୀୟମାନେ ମୃତଦେହକୁ କାନ୍ଧରେ ବୋହି ଉଛୁଳା ନଦୀ ପାର ହୋଇ ଶ୍ମଶାନରେ ପହଞ୍ଚିଥିଲେ । ଜୀବନ ଥିବା ବେଳେ ନଦୀ ପାର ହେବାର ଯନ୍ତ୍ରଣା, ଆଉ ମୃତ୍ୟୁ ପରେ ମଧ୍ୟ ଶେଷଯାତ୍ରାରେ ସେହି ଯନ୍ତ୍ରଣା । ଏହି ଚିତ୍ର ଯେମିତି ବିକଶିତ ଓଡ଼ିଶାର ନଗ୍ନ ଚିତ୍ର ବଖାଣୁଛି ।