ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଟ୍ରେନରେ ଲମ୍ଵା ଯାତ୍ରା ସମୟରେ ଯାତ୍ରୀମାନେ ରେଲୱେ ପ୍ୟାଣ୍ଟ୍ରି ଉପରେ ନିର୍ଭର କରନ୍ତି । କ୍ୟାଟରିଂ ସର୍ଭିସ୍ ବ୍ୟବହାର କରନ୍ତି । ହେଲେ ପ୍ୟାଣ୍ଟ୍ରି ଭିତରେ ଖାଦ୍ୟ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦିଆଯାଉନଥିବା ପ୍ରାୟ ସମୟରେ ଅଭିଯୋଗ ଆସେ । ଖାଦ୍ୟ କ୍ଵାଲିଟିକୁ ନେଇ ପ୍ରଶ୍ନ ଉଠେ । ଏବେ ରେଲୱେ ଫୁଡ୍ କ୍ବାଲିଟି ଏବଂ ସଫା ସୁତୁରା ଉପରେ ବଡ଼ ପଦକ୍ଷେପ ନେବାକୁ ଯାଉଛି । ରେଲୱେ ପ୍ୟାଣ୍ଟ୍ରି କାର ଏବଂ ବେସ୍ କିଚେନରେ ଏବେ ସିସିଟିଭି କ୍ୟାମେରା ଲଗାଯିବ । ଇଷ୍ଟ ସେଣ୍ଟ୍ରାଲ ରୁଟରେ ଚାଲିବାକୁ ଥିବା ପ୍ରିମିୟମ ଟ୍ରେନରେ ଏହି ସର୍ଭିସ୍ ଆରମ୍ଭ ହେବ ।
ରେଲୱେ ବୋର୍ଡ ଚେୟାରମ୍ୟାନ ସତୀଶ କୁମାର ନୂଆଦିଲ୍ଲୀରେ IRCTCର ୱାର୍ ରୁମକୁ ଯାଇ କ୍ୟାଟରିଂ ସର୍ଭିସ୍ ର ରିଭ୍ୟୁ କରିଥିଲେ । ଏହି ସମୟରେ ଯାତ୍ରୀମାନଙ୍କୁ ସ୍ଵାସ୍ଥ୍ୟକର ଖାଦ୍ୟ ଦେବା ପାଇଁ ସର୍ଭିଲାନ୍ସ ସିଷ୍ଟମକୁ ଆହୁରି ମଜବୁତ କରିବା ଉପରେ ଜୋର୍ ଦେଇଛନ୍ତି । ଇଷ୍ଟ ସେଣ୍ଟ୍ରାଲ ରେଲୱେର ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ୭୩ ପ୍ୟାଣ୍ଟ୍ରି କାର୍ ଏବଂ ଟ୍ରେନ୍ ସାଇଡ୍ ୱିଣ୍ଡିଂ ସର୍ଭିସ୍ ଅଛି । ବେସ୍ କିଚେନ ସଂଖ୍ୟା ୬୨କୁ ବୃଦ୍ଧି କରାଯାଇଛି । ଏହି ସବୁ ସ୍ଥାନରେ ଏବେ ସିସିଟିଭି କ୍ୟାମେରା ଲଗାଯିବ । ଖାଦ୍ୟ ପ୍ରସ୍ତୁତି ଠାରୁ ନେଇ ପ୍ୟାକେଜିଂ ଏବଂ ସପ୍ଲାଇ ସବୁ ସିସିଟିଭି ସ୍କାନରରେ ରହିବ । କୌଣସି ପ୍ରକାରର ଗଡ଼ବଡ଼ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
