ମୁମ୍ବାଇ(ସତ୍ୟପାଠବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସୋମବାର ସାଂସ୍କୃତିକ ଜାତୀୟତାବାଦ ଓ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଛନ୍ତି। ଶାହ କହିଛନ୍ତି, ସାଂସ୍କୃତିକ ଜାତୀୟତାବାଦର ଉଦ୍ଦେଶ୍ୟ ଭାରତର ସଂସ୍କୃତି ଓ ଇତିହାସ ନେଇ ସଚେତନତା ସୃଷ୍ଟି କରିବା। ଦେଶର ବିବିଧ ଭାଷାର ସ୍ବର ଭିନ୍ନ ହୋଇପାରେ, କିନ୍ତୁ ଜାତୀୟ ଭାବନା ଏକ ରହିବା ଉଚିତ। ଜଣେ ଶିଶୁ ନିଜ ଦେଶକୁ ତା’ର ମାତୃଭାଷା ଦ୍ବାରା ଚିହ୍ନିପାରେ ବୋଲି ଶାହ କହିବା ସହିତ ଭାରତୀୟ ଭାଷାର ପ୍ରୋତ୍ସାହନ ପାଇଁ ସମସ୍ତ ରାଜନୈତିକ ମତଭେଦକୁ ଅଲଗା ରଖିବା ଉଚିତ ବୋଲି ଆହ୍ବାନ ଦେଇଥିଲେ। ଷଷ୍ଠ ସର୍ବଭାରତୀୟ ରାଜଭାଷା ସମ୍ମିଳନୀକୁ ସମ୍ବୋଧିତ କରି ଶାହ କହିଥିଲେ ଯେ, ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ବହୁଭାଷୀ ସଂସ୍କୃତି ରହିଛି, ଏଠାରେ କଥିତ ଓ ବିକଶିତ ଭାଷା ମଧ୍ୟରେ ମରାଠୀ, କୋଙ୍କଣୀ, ଗୁଜରାଟୀ, ସିନ୍ଧି, ହିନ୍ଦୀ, କନ୍ନଡ ଓ ୱାର୍ଲି ଅନ୍ତର୍ଭୁକ୍ତ। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି।
ରାଷ୍ଟ୍ରୀୟ ଶିକ୍ଷା ନୀତି ଅଧୀନରେ ମାତୃଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ଶାହ ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇଥିଲେ ଓ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଅନ୍ୟ ଏକ ଭାରତୀୟ ଭାଷା ଶିଖିବା ମଧ୍ୟ ବାଧ୍ୟତାମୂଳକ। ନିଜ ମାତୃଭାଷା ବ୍ୟତୀତ ଆଉ ଏକ ଭାଷା ଶିଖିବାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଜାଣିନାହାନ୍ତି ସେମାନେ କ’ଣ ପାପ କରୁଛନ୍ତି। ହିନ୍ଦୀକୁ ପ୍ରତିଦ୍ବନ୍ଦ୍ବୀ ଭାଷା ଭାବେ ନ ଦେଖିବାକୁ ଶାହ କହିଛନ୍ତି। ଏହି ଅବସରରେ ଶାହ କହିଥଲେ, ‘ବନ୍ଦେ ମାତରମ୍‌’କୁ ଏହାର ପୂର୍ଣ୍ଣ ଗୌରବ ଫେରାଇବାକୁ ୮୦ ବର୍ଷ ସମୟ ଲାଗିଥିଲା।