କାଠମାଣ୍ଡୁ, (ସତ୍ୟପାଠବ୍ୟୁରୋ): ଜଳ ପ୍ରଳୟ ପରେ ବିଭିନ୍ନ ସଙ୍କଟ ଜନକ ସ୍ଥିତି ଦେଇ ଗତି କରୁଛି ନେପାଳ। ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ଦେଖାଦେଇଥିବା ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନେପାଳକୁ ଅଧିକ ବିଜୁଳି ରପ୍ତାନି କରିବା ପାଇଁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରାଯାଇଛି। ନିକଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ନେପାଳର ଅନେକ ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଘରୋଇ ସ୍ତରରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଥିବାରୁ ନେପାଳ ବିଦ୍ୟୁତ ପ୍ରାଧିକରଣ ସାରା ଦେଶରେ ବିଜୁଳି ଯୋଗାଣ ସମ୍ଭାଳିବାରେ ଅସମର୍ଥ ହୋଇପଡ଼ିଥିଲା। ୧୩ ସେପ୍ଟେମ୍ବରରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ନୂଆ ବ୍ୟବସ୍ଥା ଲାଗୁ ରହିବ। ପ୍ରତିଦିନ ରାତି ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (ମୋଟ ୧୮ ଘଣ୍ଟା) ବିଜୁଳି ଯୋଗାଇ ଦିଆଯିବ। ଦୁଇଟି ପ୍ରସାରଣ ଲାଇନ୍ ମାଧ୍ୟମରେ ସର୍ବାଧିକ ୬୫୪ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ହେବ। ନେପାଳର କ୍ଷତିଗ୍ରସ୍ତ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ମରାମତି ପାଇଁ ବେଶ୍ କିଛି ମାସ ସମୟ ଲାଗିବ। ଏହି ସମୟ ମଧ୍ୟରେ ଭାରତରୁ ଯିବାକୁ ଥିବା ବିଜୁଳି ନେପାଳର ହସ୍ପିଟାଲ, ଜରୁରୀକାଳୀନ ସେବା ଓ ସାଧାରଣ ନାଗରିକଙ୍କ ଆବଶ୍ୟକତା ପୂରଣ କରିବ। ଡିସେମ୍ବର ୨୦୨୬ରେ ଶକ୍ତି ମନ୍ତ୍ରଣାଳୟ ପୁନର୍ବାର ସ୍ଥିତିର ସମୀକ୍ଷା କରିବ। ଏହା ପରେ ଜାନୁଆରୀ ୨୦୨୭ରୁ କେତେ ପରିମାଣର ବିଜୁଳି ଯୋଗାଇ ଦିଆଯିବ, ସେ ନେଇ ନୂଆ ନିଷ୍ପତ୍ତି ନିଆଯିବ। ଏହି ସହାୟତା ଭାରତ ଓ ନେପାଳ ମଧ୍ୟରେ ଥିବା ଦୀର୍ଘଦିନର କୂଟନୈତିକ ଓ ଶକ୍ତି ସହଯୋଗ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି।