ୱାଶିଟନ, (ସତ୍ୟପାଠବ୍ୟୁରୋ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ୨୧ ମଇ ୨୦୨୬ରେ ଏକ ଭବ୍ୟ ସମାରୋହରେ ଆମେରିକୀୟ ମଡେଲ ବେଟିନା ଆଣ୍ଡରସନଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ବିବାହ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଆମେରିକୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କୁହାଯାଉଛି, ଟ୍ରମ୍ପ ଜୁନିଅରଙ୍କ ଭବ୍ୟ ବିବାହ ପାଇଁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତର ଜଣେ ବ୍ୟବସାୟୀ ପାଣ୍ଠି ଦେଇଥିଲେ। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଜୁନିଅରଙ୍କ ପତ୍ନୀ ତଥା ଟ୍ରମ୍ପଙ୍କ ବୋହୂ ବେଟିନା ଆଣ୍ଡରସନ୍ ଏହା ନିଶ୍ଚିତ କରିଛନ୍ତି। ବେଟିନା ପ୍ରକାଶ କରିଛନ୍ତି ଯେ, ବିବାହ ଖର୍ଚ୍ଚର ଏକ ଅଂଶ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ବିଶ୍ୱସ୍ତ ବ୍ୟବସାୟୀ ଉମର କ୍ରେମଲେଭ ବହନ କରିଥିଲେ। ବେଟିନାଙ୍କ ଏହି ଖୁଲାସା ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୋକେ ପ୍ରଶ୍ନ କରୁଛନ୍ତି ଯେ, ରୁଷ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ ନିୟମିତ ସମାଲୋଚନା କରନ୍ତି। ଏପରିସ୍ଥଳେ ପୁଟିନଙ୍କର ସହଯୋଗୀଙ୍କୁ ନିଜ ପୁଅର ବିବାହ ଖର୍ଚ୍ଚ ବହନ କରିବାକୁ କିପରି ଅନୁମତି ଦେଲେ। ବେଟିନା ଆଣ୍ଡରସନଙ୍କ ପ୍ରକାଶ ପୂର୍ବରୁ, ଆମେରିକାର ଅଣ-ଲାଭକାରୀ ତଦନ୍ତକାରୀ ୱେବସାଇଟ୍ ପ୍ରୋପବ୍ଲିକା ଏହି ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ପ୍ରୋପବ୍ଲିକାର ରିପୋର୍ଟ ଅନୁଯାୟୀ, ରୁଷୀୟ ବ୍ୟବସାୟୀ ଉମର କ୍ରେମଲେଭ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଏବଂ ବେଟିନା ଆଣ୍ଡରସନଙ୍କ ବିବାହର ଖର୍ଚ୍ଚ ବହନ କରିଥିଲେ। ବିବାହ ୨୧ ମେ’ ୨୦୨୬ରେ ବାହାମାସରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଏକ ଭବ୍ୟ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ଉପହାର ଦିଆଯାଇଥିଲା। ଉମର କ୍ରେମଲେଭ ଜଣେ ରୁଷୀୟ କୋଟିପତି ବ୍ୟବସାୟୀ ଯିଏ ଆନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ)ର ମୁଖ୍ୟ। କ୍ରେମଲେଭଙ୍କୁ ପୁଟିନଙ୍କ ନିକଟତର ବୋଲି ବିବେଚନା କରାଯାଏ । ପ୍ରୋପବ୍ଲିକାରେ ତଥ୍ୟ ପ୍ରକାଶ ପରେ, ବେଟିନା ଏନେଇ ସଫେଇ ଦେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରି ସେ କହିଛନ୍ତି ଯେ, ଉମର କ୍ରେମଲେଭ ତାଙ୍କର ଜଣେ ବହୁତ ଭଲ ବନ୍ଧୁ ଏବଂ ବିବାହ ପରେ ସେ ତାଙ୍କ ପାଇଁ ଦୁଇ ରାତିର ଏକ ଭବ୍ୟ ଉତ୍ସବ ଆୟୋଜନ କରିଥିଲେ। ବେଟିନା ଏହାକୁ ଜଣେ ବନ୍ଧୁଙ୍କ ବିବାହ ଉପହାର ଭାବରେ ବର୍ଣ୍ଣନା କରିଛନ୍ତି। ବେଟିନା କହିଛନ୍ତି, କ୍ରେମଲେଭଙ୍କ ଦ୍ୱାରା ଆୟୋଜିତ ପାର୍ଟି ବିବାହର ଅଂଶ ନୁହେଁ, ବରଂ ବନ୍ଧୁମାନଙ୍କ ପାଇଁ ଏକାଠି ହେବା ଏବଂ ସେମାନଙ୍କର ମଉଜ ମଜଲିସ୍ର ପାଇଁ ଏକ ସ୍ଥାନ ଥିଲା। ରିପୋର୍ଟ ଅନୁସାରେ, ରୁଷୀୟ ବ୍ୟବସାୟୀ ବିବାହରେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିଥିଲେ। ସେ ତିନି ଦିନିଆ କାର୍ୟ୍ୟକ୍ରମ ପାଇଁ ନବଦମ୍ପତିଙ୍କ ପାଇଁ ଦୁଇଟି ବ୍ୟକ୍ତିଗତ ଦ୍ୱୀପ ମଧ୍ୟରୁ ଗୋଟିଏ ଭଡାରେ ନେଇଥିଲେ, ଯେଉଁଥିରେ ଭବ୍ୟ ପାର୍ଟି ଏବଂ ଆତସବାଜି ପ୍ରଦର୍ଶନୀ କରାଯାଇଥିଲା। ଯାହାର ସମସ୍ତ ଖର୍ଚ୍ଚ ସେ ବହନ କରିଥିଲେ।
