ମହାକାଳପଡ଼ା,(ସତ୍ୟପାଠବ୍ୟୁରୋ): ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି। ମୃତକ ହେଲେ ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଖରିନାସୀ ପଞ୍ଚାୟତ ଦାସପଡା ଗାଁର ହେମଲତା ଦାସ (୫୫)। ଆଜି ସକାଳେ ସେ ନିକଟ ଗଳିଆ ନାଳକୁ ମାଛ ଧରିବା ପାଇଁ ଯାଇଥିଲେ। ହେମଲତା ପାଣିରେ ପାଦ ଦେଉ ଦେଉ ବିଶାଳ ବଉଳା କୁମ୍ଭୀର ଟାଣି ନଦୀକୁ ନେଇଯାଇଥିଲା । ଏହା ଦେଖିବା ପରେ ସାଥି ମାଛ ଧରାଳିମାନେ ଡାକ ପକାଇ ଥିଲେ। ଖବରପାଇ ଘଟଣା ସ୍ଥଳରେ ଗ୍ରାମର ଲୋକମାନେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ହେଲେ କିଛି ପତ୍ତା ମିଳିନଥିଲା। ଏକ ଘଣ୍ଟା ପରେ ଏକ କିମି ଦୂର ରାମନଗର ପୋଲ ଠାରୁ ଉଦ୍ଧାର କରାଯାଇ ନିକଟ ରାମନଗର ମେଡ଼ିକାଲକୁ ନେଇଥିଲେ। ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅପରପକ୍ଷରେ ବନ ବିଭାଗ ପକ୍ଷରୁ ନଦୀକୁ ପ୍ରବେଶ ନ କରିବା ପାଇଁ ବାରଣ କରୁଛନ୍ତି। ପରିବାର ପୋଷଣ ପାଇଁ ଦୈନିକ ନଦୀ କୂଳିଆ ଲୋକମାନେ ମାଛ କଙ୍କଡା ଧରି ଦୁଇ ପଇସା ରୋଜଗାର କରିଥାନ୍ତି ବୋଲି ସ୍ଥାନୀୟଲୋକ ମାନେ କହିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡା ରେଞ୍ଜ ଅଧିକାରୀ ଶାନ୍ତନୁ ଦଳାଇ କହିଛନ୍ତି, ସଚେତନ ରହିବା ସହ ନଦୀକୁ ପ୍ରବେଶ ନ କରିବା ପାଇଁ ବାରଣ କରାଯାଇଛି । ଅଭିଯୋଗ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ।