କୋଷାଗୁମୁଡ଼ା,(ସତ୍ୟପାଠବ୍ୟୁରୋ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ସଦରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍‌ ଉଦ୍ୟମ ଘଟଣାରେ କୋଡିଙ୍ଗା ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୮ଜଣ ନାବାଳକଙ୍କୁ ଭବାନୀପାଟଣାସ୍ଥିତ ସୁଧାରଗୃହକୁ ପଠାଇଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖ ରାତିରେ କୋଡିଙ୍ଗାସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍‌ କରିବାକୁ ଯୋଜନା କରିଥିଲେ ଦୁର୍ବୃତ୍ତ। ବ୍ୟାଙ୍କ କବାଟ ଭାଙ୍ଗି ଭିତରେ ପଶିବା ସମୟରେ ପୋଲିସ ପାଟ୍ରୋଲିଂ ଟିମ୍‌ ଆସି ଯିବାରୁ ଦୁର୍ବୃତ୍ତ ଛତ୍ରଭଙ୍ଗ ଦେଇଥିଲେ। ଅନ୍ୟପଟେ କୋଡିଙ୍ଗା ଅଞ୍ଚଳରେ ବହୁ ଦୋକାନ ଓ ତାଲାବନ୍ଦ ଘରେ ଚୋରି କରି ପୋଲିସର ନିଦ ହଜାଇ ଦେଇଥିଲେ ଦୁର୍ବୃତ୍ତ। କୋଡିଙ୍ଗା ଥାନାଧିକାରୀ ଦୀପକ ଜେନା ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ବିଭିନ୍ନ ଚୋରି ମାମଲାରେ ସଂପୃକ୍ତ ଥିବା ୧୦ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ତେବେ ବିଡ଼ମ୍ବନାର ବିଷୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୮ ଜଣ ନାବାଳକ ଅଛନ୍ତି। ସ୍ଥାନୀୟ ଅଞ୍ଚଳର ନାବାଳକମାନଙ୍କୁ ଉସୁକାଇ ଚୋରି ଓ ଲୁଟ କାମରେ ନିୟୋଜିତ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ ନାବାଳକଙ୍କୁ ଭବାନୀପାଟଣା ବାଳସୁଧାର ଗୃହକୁ ପଠାଯାଇଥିବା ବେଳେ ୨ ଜଣଙ୍କୁ ନବରଙ୍ଗପୁର ଜେଲ୍‌ ପଠାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଚନ୍ଦନ ହରିଜନ(୨୧) ଏହି ସବୁ ଅପରାଧିକ କାର୍ଯ୍ୟ କରିବାକୁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ମୁଖ୍ୟ ଭୂମିକା ନେଉଥିଲା। ସମସ୍ତ ଅଭିଯୁକ୍ତ କୋଡ଼ିଙ୍ଗାର ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଅଭିଯୁକ୍ତଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ସହିତ କବାଟ ଭାଙ୍ଗିବା ପାଇଁ ବ୍ୟବହୃତ ରଡ୍‌, ଫ୍ଲାସ୍‌, ସ୍କୃଡ୍ରାଇଭର, ହାତୁଡି ସହିତ ଚୋରି କରିଥିବା ଟିଭି, ସାଉଣ୍ଡ ବାକ୍ସ, ଟଙ୍କା, କିରାନା ସାମଗ୍ରୀ ଆଦି ଜବତ କରିଛି। କୋଡିଙ୍ଗା ଥାନା ଅଧିକାରୀ ଦୀପକ ଜେନା କେଶ୍‌ ନଂ-୧୯୪/୨୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତମାନେ ପୂର୍ବରୁ କୋଡ଼ିଙ୍ଗା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିଲେ ବୋଲି ଶ୍ରୀ ଜେନା କହିଛନ୍ତି।