ସମ୍ବଲପୁର, ( ସତ୍ୟପାଠବ୍ୟୁରୋ): ଭଙ୍ଗା ଛାତ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ୫୭ ବର୍ଷର ଏହି ପୁରାତନ ସ୍କୁଲରେ ୧୩ଟି ଶ୍ରେଣୀର ପିଲା ପାଠ ପଢ଼ୁଥିବାବେଳେ ମାତ୍ର ୭ ଶ୍ରେଣୀଗୃହ ରହିଛି। ଛାତର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ଏହାରି ତଳେ ବିପଦ ସଙ୍କୁଳ ଅବସ୍ଥାରେ ୩୨୪ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତେବେ କେତେବେଳେ ସିମେଣ୍ଟ ଖଣ୍ଡ ଖସିଲେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ।
ଶିକ୍ଷାର ବିକାଶ ଓ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ଓ ରୂପାନ୍ତରଣ କାର୍ଯ୍ୟ ଚାଲିଥିବା ବେଳେ ଜମନକିରା ବ୍ଲକର କେନାଢ଼ିପା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚିତ୍ର ଏହାର ବାସ୍ତବ ରୂପ ନେଇ ପ୍ରଶ୍ନ ଉଠାଇଛି। ୧୯୬୯ ମସିହାରେ ପ୍ରତିଷ୍ଠିତ ୫୭ ବର୍ଷର ଏହି ପୁରାତନ ଶିକ୍ଷାନୁଷ୍ଠାନ ଏବେ ଭିତ୍ତିଭୂମି ଅଭାବ, ଶିକ୍ଷକ ସଙ୍କଟ ଓ ମୌଳିକ ସୁବିଧାର ଅଭାବରେ ଜର୍ଜରିତ। ବିଦ୍ୟାଳୟରେ ମାତ୍ର ୭ଟି କୋଠରୀରେ ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩ଟି ଶ୍ରେଣୀରେ ୩୨୪ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଫଳରେ ଏକାଧିକ ଶ୍ରେଣୀକୁ ଏକାଠି କରି ପଢ଼ାଇବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଏଭଳି ପରିବେଶରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ପାଠପଢ଼ା କଷ୍ଟକର ହୋଇପଡ଼ିଛି। ବିଦ୍ୟାଳୟର କେତେକ କୋଠରୀର ଅବସ୍ଥା ଚିନ୍ତାଜନକ ହୋଇପଡ଼ିଛି। ବର୍ଷା ସମୟରେ ଛାତରୁ ପାଣି ଗଳୁଥିବାରୁ କାନ୍ଥ ଓ ଛାତରେ ଆର୍ଦ୍ରତା ଦେଖାଦେଉଛି। କେତେକ ସ୍ଥାନରେ ସିଲିଂ ଖସିପଡ଼ିଥିବା ବେଳେ ଚଟାଣ ମଧ୍ୟ ଫାଟି ଯାଇଛି। ଏପରି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ମୋଟ ୧୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିବା ସୂଚନା ମିଳିଛି। ତେବେ ଶିକ୍ଷାର ମୂଳଦୁଆ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଜଣେ ହେଲେ ମଧ୍ୟ ନିର୍ଦ୍ଦିଷ୍ଟ ଶିକ୍ଷକ ନଥିବା ଅଭିଯୋଗ ହୋଇଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ମଧ୍ୟ ମାତ୍ର ଦୁଇଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଶ୍ରେଣୀଗୃହ ଓ ଶିକ୍ଷକ ଅଭାବର ପ୍ରଭାବ ସିଧାସଳଖ ଶିକ୍ଷାଦାନ ଉପରେ ପଢ଼ୁଥିବାବେଳେ ଛୋଟ ପିଲାମାନେ ଚଟାଣରେ ଦରି ପାରି ବସି ପାଠ ପଢ଼ୁଥିବା ଦେଖାଯାଇଛି। ବିଦ୍ୟାଳୟର ମୌଳିକ ସୁବିଧା ମଧ୍ୟ ଅନେକ କ୍ଷେତ୍ରରେ ଅପର୍ଯ୍ୟାପ୍ତ। ଛାତ୍ରୀମାନଙ୍କ ପାଇଁ ଥିବା ଶୌଚାଳୟର କବାଟ ଭାଙ୍ଗିଯାଇଥିବା ସହ ପରିବେଶ ଅପରିଷ୍କାର ରହୁଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା କୁହାଯାଇଛି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ମଧ୍ୟ ପର୍ଯ୍ୟାପ୍ତ ନଥିବା ଅଭିଯୋଗ ରହିଛି। ସେହିପରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ରୋଷେଇ ଘରର ପରିବେଶ ମଧ୍ୟ ଅସ୍ୱାସ୍ଥ୍ୟକର ବୋଲି ଅଭିଯୋଗ ହୋଇଛି। ଏହା ସହ ବିଦ୍ୟାଳୟ ପରିସରରେ ଆବର୍ଜନା ଜମି ରହୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ସମସ୍ୟା ନେଇ ପରିଚାଳନା କମିଟି ସଭାପତି ବଳରାମ ମାଝୀ ଓ ଉପସଭାପତି ଅନ୍ନପୂର୍ଣ୍ଣା ଭାଟ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ମୌଖିକ ଓ ଲିଖିତ ଭାବେ ଜଣାଇ ଦିଆଯାଇଛି। ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ପଣ୍ଡା ମଧ୍ୟ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷକ ସଙ୍କଟ ଯୋଗୁଁ ଶିକ୍ଷାଦାନ ପ୍ରଭାବିତ ହେଉଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବିଦ୍ୟାଳୟର ସମସ୍ୟା ନେଇ ଜମନକିରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବକୀ ନାଏକ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲା। ଡିଇଓ କହିଛନ୍ତି ଯେ,ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗ ଅବଗତ ଅଛି। ‘ଭିଭିଜି ରାମଜୀ’ ଯୋଜନା ଅଧୀନରେ ବିଦ୍ୟାଳୟର ଭିତ୍ତିଭୂମି ସମସ୍ୟାର ସମାଧାନ ସହ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଶୌଚାଳୟ ମରାମତି ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ କରାଯିବ। ଏହା ସହ ଶିକ୍ଷକ ସଙ୍କଟର ସମାଧାନ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
