ରାୟଗଡା, (ସତ୍ୟପାଠ ବ୍ୟୁରୋ): ଗଁାକୁ ରାସ୍ତା ନଥିବାର ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ ସେବା। ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ଖଟିଆ ଭାରରେ ବୁହା ଗଲା ୩ କିମି। ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡା ପଞ୍ଚାୟତ ଅନ୍ତର୍ଗତ କଞ୍ଚାକରଡା ଗ୍ରାମରେ।
କଞ୍ଚାକରଡା ଗାଁର ଜୁଏଲ ଶବରଙ୍କ ସ୍ତ୍ରୀ ଶୁସେନୀ ଶବରଙ୍କ ଆଜି ସକାଳୁ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ଯିବା ପାଇଁ ଯାତାୟାତଯୋଗ୍ୟ ରାସ୍ତା ନଥିବାରୁ ଗାଁ ନିକଟକୁ ଗାଡ଼ି ଯାଇ ପାରି ନଥିଲା। ଫଳରେ ପରିବାର, ସମ୍ପର୍କୀୟ ଓ ଆମ୍ବୁଲାନ୍ସ ଡ଼୍ରାଇଭର ମିଶି ଖଟିଆରେ ଗର୍ଭବତୀଙ୍କୁ ବୁହାଇ କଞ୍ଚାକରଡାରୁ ପାଣ୍ଡରାଗୁଡା ଯାଏଁ ୩ କିମି ଖଟିଆରେ ଅଣା ଯାଇଥିଲା । ଏହାପରେ ଆମ୍ବୁଲାନ୍ସରେ ପ୍ରାୟ ୮ କିମି ନେଲା ପରେ କେନ୍ଦୁଗୁଡା ନିକଟରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲା। ଏହାପରେ ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ମା ଓ ଛୁଆଙ୍କ ସ୍ବାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି।
ସୂଚନାଯୋଗ୍ୟ, ବାରମ୍ବାର ଦାବି ସତ୍ତ୍ୱେ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ ଅସନ୍ତୋଷ ବଢ଼ିଛି। ଜରୁରୀ ସମୟରେ ଯଦି ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିବ ନାହିଁ, ତେବେ ସରକାରୀ ସ୍ୱାସ୍ଥ୍ୟସେବାର ସୁଫଳ କିପରି ମିଳିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ଗାଁକୁ ଯାତାୟାତଯୋଗ୍ୟ ରାସ୍ତା ନିର୍ମାଣ କରିବା ସହ ଜରୁରୀ ସମୟରେ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
