ୱାଶିଟନ, (ସତ୍ୟପାଠବ୍ୟୁରୋ) : ଦୀର୍ଘ ୧୧ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ଆମେରିକାରେ ପହଞ୍ଚିବା ମାତ୍ରେ ଜିନପିଙ୍ଗ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଢଙ୍ଗରେ ତାଙ୍କୁ ସ୍ୱାଗତ କରିଥିଲେ, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ୨୩ ସେପ୍ଟେମ୍ବରରେ ସି ଜିନପିଙ୍ଗ ଏବଂ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନ ବିମାନ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ରେ ଅବତରଣ କରିବା ପରେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ନିଜେ ଏୟାରପୋର୍ଟ ରନ୍ୱେରେ ପହଞ୍ଚିଥିଲେ। ଆମେରିକାର ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ବିଦେଶୀ ନେତାଙ୍କୁ ଏଭଳି ଭାବେ ଏୟାରପୋର୍ଟରେ ସ୍ୱାଗତ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ବିରଳ ବୋଲି ମନେ କରାଯାଏ। ଆମେରିକୀୟ ସେନାର ଜେଟ୍ ବିମାନ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲା। ହ୍ୱାଇଟ୍ ହାଉସ୍ରେ ଅପେକ୍ଷା ନକରି ସିଧା ଏୟାରପୋର୍ଟରେ ପହଞ୍ଚିଲେ ଟ୍ରମ୍ପ। ସାଧାରଣତଃ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଆମେରିକା ଗସ୍ତରେ ଆସିଲେ ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ରେ ତାଙ୍କୁ ଔପଚାରିକ ଭାବେ ସ୍ୱାଗତ କରନ୍ତି। କିନ୍ତୁ ଏଥର ଚିତ୍ର ଭିନ୍ନ ଥିଲା। ସି ଜିନପିଙ୍ଗଙ୍କ ବିମାନ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ରେ ଅବତରଣ କରିବା ପୂର୍ବରୁ ହିଁ ଟ୍ରମ୍ପ ସେଠାରେ ଉପସ୍ଥିତ ଥିଲେ। ପ୍ରାୟ ୧୦୦ ଫୁଟ୍ ଲମ୍ବା ଲାଲ୍ କାର୍ପେଟ୍ ଉପରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିଲା। ମେଲାନିଆ ଟ୍ରମ୍ପ, ପେଙ୍ଗ ଲିୟୁଆନ୍ଙ୍କୁ ସ୍ୱାଗତ କରିଥିଲେ। ସାମରିକ ବ୍ୟାଣ୍ଡ, ସମ୍ମାନ ସମାରୋହ ଏବଂ ଫ୍ଲାଏଓଭର୍ ଏହି ପୂରା ସ୍ୱାଗତକୁ ଆହୁରି ଭବ୍ୟ କରିଥିଲା। ଆଜି ହ୍ୱାଇଟ୍ ହାଉସ୍ରେ ସି ଜିନପିଙ୍ଗଙ୍କ ସମ୍ମାନରେ ଔପଚାରିକ ଷ୍ଟେଟ୍ ଆରାଇଭାଲ୍ ସେରିମୋନି ଅନୁଷ୍ଠିତ ହୋଇଛି। ଏଥିରେ ସାମରିକ ସମ୍ମାନ ସହ ଈ-୨ ବମ୍ବର୍ ଏବଂ ଚାରିଟି ୠ-୨୨ ରାପ୍ଟର୍ର ଫ୍ଲାଏଓଭର୍ ମଧ୍ୟ କାର୍ଯ୍ୟକ୍ରମ କାରଯାଇଥିଲା। ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ଏବଂ ସନ୍ଧ୍ୟାରେ ଇଷ୍ଟ ରୁମ୍ରେ ଷ୍ଟେଟ୍ ଡିନର୍ ଆୟୋଜିତ ହୋଇଛି। ୨୫ ସେପ୍ଟେମ୍ବରରେ ଟ୍ରମ୍ପ ଓ ମେଲାନିଆ, ସି ଜିନପିଙ୍ଗ ଓ ପେଙ୍ଗ ଲିୟୁଆନ୍ଙ୍କ ସହ ଚା’ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଦୁଇ ଦମ୍ପତି ନ୍ୟାସନାଲ୍ ଆର୍କାଇଭ୍ସ ଯିବେ, ଯେଉଁଠାରେ ଐତିହାସିକ ଦଲିଲଗୁଡ଼ିକ ଦେଖିବେ।
ହ୍ୱାଇଟ୍ ହାଉସ୍ର ମୁଖପାତ୍ର ଆନ୍ନା କେଲି ମଧ୍ୟ ଏହାକୁ ଚୀନ୍ରେ ଟ୍ରମ୍ପଙ୍କୁ ମିଳିଥିବା ସ୍ୱାଗତର ପ୍ରତିଉତ୍ତର ବୋଲି କହିଛନ୍ତି। ତାଙ୍କ ଅନୁସାରେ, ଚୀନ୍ ଚଳିତ ବର୍ଷ ଟ୍ରମ୍ପଙ୍କୁ ଆତିଥ୍ୟ ଦେଇଥିଲା ଏବଂ ଏବେ ଟ୍ରମ୍ପ ସି ଜିନପିଙ୍ଗଙ୍କ ଆମେରିକା ଗସ୍ତ ସମୟରେ ସେହି ଆତିଥ୍ୟର ପ୍ରତିଦାନ ଦେବାକୁ ଚେଷ୍ଟା କରୁଛନ୍ତି। ଜିନପିଙ୍ଗଙ୍କର ଏହା ୧୧ ବର୍ଷ ପରେ ପ୍ରଥମ ରାଜକୀୟ ଆମେରିକା ଗସ୍ତ। ତାଙ୍କର ତିନି ଦିନିଆ ଗସ୍ତ ୨୩ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।
