ନବରଙ୍ଗପୁର, (ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି। ଦ୍ୱିତୀୟ ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି କୋଷାଗୁମୁଡା ବ୍ଲକ୍ର ଘାଟବାସୁଲି ଓ ଉକିଆପାଲି ଗାଁ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ନବରଙ୍ଗପୁର ସହରରେ ମଧ୍ୟ ଆଉ ଏକ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଛି। ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ପରିସ୍ଥିତି ଉପରେ ସତର୍କ ନଜର ରଖିଛି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମୁଖୀଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ମଧ୍ୟ ବନ୍ଦ ରଖାଯାଇଛି । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
