ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଆଜିଠୁ ଗାଡ଼ିର ପିୟୁସିକୁ ନେଇ ଦିଲ୍ଲୀରେ କଡ଼ା ନିୟମ। ଦିଲ୍ଲୀରେ ଚଳାଚଳ କରୁଥିବା ଯାନବାହନ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ (ପିୟୁସି) ପ୍ରମାଣ ପତ୍ର ରଖିବା ଜରୁରୀ ହୋଇପଡ଼ିଛି। ଏହା ନ ଥିଲେ ପେଟ୍ରୋଲ କିମ୍ବା ସିଏନଜି ମିଳିବ ନାହିଁ। ପ୍ରଦୂଷଣ ରୋକିବା ଲାଗି ନିୟମ କଡ଼ାକଡ଼ି କରାଯାଇଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ) ଏହି ନିୟମ ଯେମିତି କଡ଼ାକଡ଼ି ଭାବେ ପାଳନ କରାଯାଏ, ତାହା ସୁନିଶ୍ଚିତ ପାଇଁ ସରକାରୀ ଅଧିକାରୀ ଏବଂ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗତ ୨୯ ତାରିଖରେ ରାକେଶ ବର୍ମାଙ୍କ ଅଧ୍ୟକ୍ଷତାରେ ସିଏକ୍ୟୁଏମ ସବ୍-କମିଟିର ୨୭ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ଯାନବାହନ ସୃଷ୍ଟ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ପଦକ୍ଷେପଗୁଡ଼ିକର ସମୀକ୍ଷା ବି କରାଯାଇଥିଲା।
