ମାଲକାନଗିରି, (ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ଭେଙ୍କଟପାଲମ ଜଙ୍ଗଲ ନିକଟରେ ଚଢ଼ଉ କରି ୩୦୦ କେଜି ଗଞ୍ଜେଇ ଜବତ କରିଛି । ସୂଚନା ଅନୁସାରେ ଭେଙ୍କଟପାଲମ ଜଙ୍ଗଲ ନିକଟରେ ଗଞ୍ଜେଇ ଗୋଦାମ କରାଯାଇଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ କାଲିମେଳା ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ଓଜନ କରାଯିବା ପରେ ମୋଟ ୩୦୦ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି। ମାଜିଷ୍ଟ୍ରେଟ୍ ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୪୧/୨୬, ଏନଡିପିଏସ ଧାରା ୨୦(ବି) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଏହି ଗଞ୍ଜେଇ ସହ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।
