କୋରାପୁଟ, (ସତ୍ୟପାଠବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ସଫଳ ନେତୃତ୍ୱରେ ଭାରତର ପ୍ରତିରକ୍ଷା କ୍ଷେତ୍ର ସୁଦୃଢ଼ ହେବାରେ ଲାଗିଛି। ଏହିକ୍ରମେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ୍‌ (ହାଲ)ର କୋରାପୁଟ ଡିଭିଜନ ଠାରେ ୨,୦୦୦ତମ ଏରୋ ଇଞ୍ଜିନ ହସ୍ତାନ୍ତର ସମାରୋହରେ ଯୋଗଦେଇଛନ୍ତି। କୋରାପୁଟସ୍ଥିତ ହାଲ ଦୀର୍ଘ ଛଅ ଦଶନ୍ଧି ଧରି ଭାରତର ଏରୋସ୍ପେସ୍‌ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଥିବା ବେଳେ ଏହି ପ୍ରତିଷ୍ଠାନ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିରେ ମଧ୍ୟ ସହାୟକ ହେଉଛି। ଆଜିର କାର୍ଯ୍ୟକ୍ରମ କୋରାପୁଟର ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆଜି ଦିନିକିଆ କୋରାପୁଟ ଗସ୍ତରେ ଆସି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ)ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୁନାବେଡ଼ା ହାଲ ହେଲିପ୍ୟାଡରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଲ ପରିସର ଗସ୍ତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ। ଏହି ଗସ୍ତକୁ ନେଇ ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଥିଲା। ଏହାସହିତ ଭିଆଇପି ସୁରକ୍ଷା ବ୍ୟବସ୍ଥା ସହ ପ୍ରାୟ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଯାତାୟାତ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ମଧ୍ୟ ପୋଲିସ ପକ୍ଷରୁ ବିଶେଷ ନଜର ରଖାଯାଇଥିଲା। ଆଜିର ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଶକ୍ତି ଇଞ୍ଜିନ୍‌ର ନିର୍ମାଣ ୟୁନିଟ୍‌ର ଶିଳାନ୍ୟାସ ଓ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାର, ଏଚଏଏଲର ସିଏମଡି ରବି କେ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ୨୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ନିର୍ମାଣ ଲାଇନ୍‌ ଆରମ୍ଭ କରାଯାଇଛି। ଶକ୍ତି ଇଂଜିନ ହେଉଛି ହାଲ ଓ ଫ୍ରାନ୍ସର ସାଫ୍ରନ କମ୍ପାନୀର ମିଳିତ ଉଦ୍ୟମ। ଏହି ଅତିରିକ୍ତ କ୍ଷମତା ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ‘ଧ୍ରୁବ’ ଏବଂ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ସମେତ ବିଭିନ୍ନ ସ୍ୱଦେଶୀ ହେଲିକପ୍ଟର ନିର୍ମାଣର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବ। ଏହି ନୂତନ ଦ୍ଵିତୀୟ ଉତ୍ପାଦନ ଲାଇନ ଦ୍ଵାରା ଭାରତ ବିଦେଶୀ ସାମରିକ ଇଞ୍ଜିନ୍ ଆମଦାନୀ ଉପରେ ନିର୍ଭରଶୀଳତା କମାଇବ ଏବଂ ସ୍ଵଦେଶୀ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବ। ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ସ୍ୱଦେଶୀ ଏରୋସ୍ପେସ୍‌ କ୍ଷମତା ବୃଦ୍ଧି ଦୃଷ୍ଟିରୁ ସୁନାବେଡ଼ା ହାଲରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। କାରଣ ଭାରତକୁ ଏକ ପ୍ରତିରକ୍ଷା ଉପକରଣ ଆମଦାନିକାରୀରୁ ବିଭିନ୍ନ ପ୍ରତିରକ୍ଷା ପ୍ରଣାଳୀର ଡିଜାଇନର, ଡେଭଲପର ଏବଂ ଉତ୍ପାଦନକାରୀ ଭାବେ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଦୂରଦୃଷ୍ଟିପୂର୍ଣ୍ଣ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ପ୍ରପଲ୍‌ସନ୍‌ ବା ସଞ୍ଚାଳନ ପ୍ରଣାଳୀର ରଣନୀତିକ ମହତ୍ୱ ଏବଂ ବୈଷୟିକ ଜଟିଳତାକୁ ଧ୍ୟାନରେ ରଖି ସ୍ୱଦେଶୀ ଏରୋ-ଇଞ୍ଜିନ୍‌ କ୍ଷମତା ବିକାଶ କରିବା ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ଜଣାପଡିଛି। ଏହାବ୍ୟତୀତ ଆଜି ଏହି ଗସ୍ତ ସମୟରେ ରାଜନାଥ ଏହି କାର୍ଯ୍ୟକ୍ରମ ଅବସରରେ ସେ ସୁଖୋଇ-୩୦ ଏମକେଆଇ ଫାଇଟର ଜେଟ୍ ର ଇଞ୍ଜିନ ଓ ଅନ୍ୟାନ୍ୟ ପ୍ରତିରକ୍ଷା କ୍ଷମତାର ସମୀକ୍ଷା କରିଥିଲେ। ଏହାସହିତ ବିଭାଗୀୟ ଅଧିକାରୀଙ୍କ ସହ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ଆଲୋଚନା କରିଥିଲେ। କୋରାପୁଟର ଏହି ସମସ୍ତ କାର୍ଯ୍ୟକ୍ରମ ଶେଷ କରି ପ୍ରତିରକ୍ଷା ମନ୍ତ୍ରୀ ଛତିଶଗଡ଼ର ରାୟପୁର ଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ।