ମୁମ୍ବାଇ (ସତ୍ୟପାଠ ବ୍ୟୁରୋ): ରେପୋ ରେଟ୍ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ପୂର୍ବରୁ, ଏହା ପ୍ରାୟ ସାଢ଼େ ୩ବର୍ଷ ପାଇଁ ୫.୨୫%ରେ ସ୍ଥିର ଥିଲା । ଯାହାକୁ ବୃଦ୍ଧି କରାଯାଇ ୫.୫୦% କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଗୃହ ଏବଂ କାର୍ ଋଣ ଗ୍ରହୀତାଙ୍କ ଉପରେ ଇଏମ୍ଆଇ ବୋଝକୁ ବୃଦ୍ଧି କରିପାରେ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । ତିନି ଦିନିଆ ବୈଠକ ସମୟରେ ଆଲୋଚନା ପରେ ରେପୋ ହାର ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । ବିଶ୍ୱ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ସେୟାର ବଜାରରେ ଅନିଶ୍ଚିତତାର ଆଶଙ୍କା ରହିଥିବା ସେ ଚେତାଇଛନ୍ତି । ବିଶେଷଜ୍ଞମାନେ ପୂର୍ବରୁ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତିକୁ ଉଲ୍ଲେଖ କରି ରେପୋ ହାରରେ ବୃଦ୍ଧି ହେବ ବୋଲି ଆଶଙ୍କା କରୁଥିବା ବେଳେ ଏବେ, କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ନିଶ୍ଚିତ କରିଛି। ରେପୋ ହାର ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଅଳ୍ପ ସମୟ ପାଇଁ ଋଣ ଦେଇଥାଏ । ଏହି ହାରକୁ ଆଧାର କରି ବ୍ୟାଙ୍କଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କୁ ଋଣ ଉପରେ ସୁଧ ହାର ନିର୍ଣ୍ଣୟ କରନ୍ତି। ଯାହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଥାଏ ।
